ଦଳିତ ବସ୍ତିରେ ବିଦ୍ୟୁତ ସେବା ବନ୍ଦ, କର୍ମଚାରୀଙ୍କୁ ଘେରିଲେ ମହିଳା

ଢେଙ୍କାନାଳ ଅଫିସ,୨୮।୩: ଢେଙ୍କାନାଳ ପୌରାଞ୍ଚଳର ୱାର୍ଡ ନଂ. ୧୦ର ବିଲସାହି ଦଳିତ ବସ୍ତିରେ ବିଦ୍ୟୁତ୍‌ ସରବରାହ ହଠାତ୍‌ ବନ୍ଦ ହୋଇଯାଇଥିଲା। ଏହାର ପ୍ରତିବାଦରେ ଏଏପି୍‌ କର୍ମୀ ପଦ୍ମିନୀ ନାଏକଙ୍କ ନେତୃତ୍ୱରେ ମହିଳାମାନେ ରବିବାର ବିଦ୍ୟୁତ୍‌ ଅଫିସରେ ପହଞ୍ଚି କର୍ମଚାରୀଙ୍କୁ ଘେରାଉ କରିଥିଲେ। ସୌଭାଗ୍ୟ ଯୋଜନାରେ ସରକାରଙ୍କ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। କିନ୍ତୁ ମିଟର ବସି ନ ଥିଲା। ଉପଭୋକ୍ତାମାନେ ସର୍ବନିମ୍ନ ବିଦ୍ୟୁତ୍‌ ଦେୟ ପୈଠ କରୁଥିବାବେଳେ କେଉଁ କାରଣରୁ ବିଦ୍ୟୁତ୍‌ କଟାଯାଇଥିଲା ସେ ନେଇ ମହିଳାମାନେ ବିଦ୍ୟୁତ୍‌ ବିଭାଗର କାର୍ଯ୍ୟାଳୟରେ ପହଞ୍ଚି ପ୍ରଶ୍ନ କରିଥିଲେ। ଧନିକ ଶ୍ରେଣୀର ଲୋକମାନଙ୍କ ଲକ୍ଷାଧିକ ଟଙ୍କା ବକେୟା ଥିବା ସତ୍ତ୍ୱେ ବିଦ୍ୟୁତ୍‌ କାଟ ହେଉନାହିଁ। ଅଥଚ ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କ ବିଦ୍ୟୁତ୍‌ କରାଯାଉଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏଏପି ଜିଲା ଆବାହକ ପଙ୍କଜ କୁମାର ନାୟକ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଆଲୋଚନା ପରେ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଇଥିଲା। ତଦନ୍ତ କରି ବିଦ୍ୟୁତ୍‌ ମିଟର ଲଗାଇବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଓଡ଼ିଶାରେ ସମସ୍ତ ଉପଭୋକ୍ତାଙ୍କୁ ନିଃଶୁଳ୍କ ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ପ୍ରଦାନ କରାଯାଉ ବୋଲି ଦଳ ପକ୍ଷରୁ ଦାବି ହୋଇଛି।