ପ୍ରତିଶ୍ରୁତି ପରେ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ

କୁଚିଣ୍ଡା,୧୦ା୮(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡରେ ୨୦୨୧ରେ ହୋଇଥିବା ଖରିଫ ଧାନ ଫସଲ ମରୁଡି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଉପଖଣ୍ଡ ଚାଷୀ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ରାଜ୍ୟ ସରକାର ଏ ନେଇ ବୀମା କମ୍ପାନୀ ଉପରେ କୌଣସି ପଦକ୍ଷେପ ନେଉ ନ ଥିବା ସଂଗଠନ ଅଭିଯୋଗ କରିଛି। ଗତ ୩ତାରିଖରେ ଚାଷୀ ସଂଗଠନ ଏକ ବୈଠକ କରି ସରକାରଙ୍କୁ ୭ଦିନ ମଧ୍ୟରେ ବୀମା ରାଶି ପ୍ରଦାନ ପାଇଁ ଚେତାବନୀ ଦେଇଥିଲେ। ଅନ୍ୟଥା ୧୦ତାରିଖରେ ଜମନକିରାଠାରେ ଜାତୀୟ ରାଜପଥ ଅବରୋଧ କରାଯିବାକୁ ସଂଘ ପକ୍ଷରୁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ପତ୍ରାଳାପ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଜିଲାପାଳ ଆଦିତ୍ୟ ଗୋଏଲ ମଙ୍ଗଳବାର ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ସମନ୍ବୟ ବିଭାଗ ପତ୍ର ସଂଖ୍ୟା-୭୧୨୪/୬୮୨୨ରେ ଅଧ୍ୟକ୍ଷ ସଚିବ ରିଲାଏନ୍ସ ବୀମା କମ୍ପାନୀ ଜେନେରାଲ ମ୍ୟାନେଜରଙ୍କୁ ରାଜ୍ୟସ୍ତରୀୟ ବୈଷୟିକ କମିଟି ରିପୋର୍ଟ ଆଧାରରେ ତୁରନ୍ତ ଏହାର ସମାଧାନ କରି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଦେବାକୁ ଚିଠି କରାଯାଇଥିବା ଚାଷୀ ପ୍ରତିନିଧିଙ୍କୁ ଅବଗତ କରି ୨୨ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ତେଣୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ କରାଯାଇଥିବା ଚାଷୀ ନେତାମାନେ କହିଛନ୍ତି। ଆଲୋଚନାରେ ସଂଗଠନ ପକ୍ଷରୁ ଚାଷୀ ନେତା ଦୁଷ୍ମନ୍ତ ନାୟକ, ବୀରେନ୍ଦ୍ର ଚୌଧୁରୀ, ଶ୍ରୀକାନ୍ତ ପଟେଲ, କୁଳମଣୀ ପୃଷେଠ, ଜୟନ୍ତ ପ୍ରଧାନ, ହିମାଂଶୁ ମହାପାତ୍ର, ସୁନୀଲ ମୁଦୁଲି, ସୁଦୀପ୍ତ ପଟେଲ ପ୍ରମୁଖ ସାମିଲ ହୋଇଥିଲେ।