ଲିସ୍ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏ ନେଇ ଫେଡେରେଶନ ପକ୍ଷରୁ ଶନିବାର ବିବୃତି ଜାରି କରାଯାଇଛି।
ବର୍ଷୀୟ ରୋନାଲ୍ଡୋ ନୂଆ କୋଚ୍ ଜର୍ଜ ଜିସସ୍ଙ୍କ ସହ ବିବାଦ କାରଣରୁ ଅନ୍ତର୍ଜାତୀୟ ଓ୍ବିଣ୍ଡୋରେ ପର୍ତ୍ତୁଗାଲ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ପର୍ତ୍ତୁଗାଲ ତା’ର ସମସ୍ତ ୩ ମ୍ୟାଚ୍ ଜିତିଥିଲା ଏବଂ ତାଙ୍କ ବଦଳରେ ଖେଳିଥିବା ଗୋସାଲୋ ରାମୋସ ୩ ଗୋଲ ସ୍କୋର କରିଥିଲେ। ରୋନାଲ୍ଡୋଙ୍କୁ ନରଓ୍ବେ ବିପକ୍ଷ ମ୍ୟାଚ୍ରେ ନ ଖେଳାଇ ବେଞ୍ଚରେ ବସାଇବା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି କୋଚ୍ ଜର୍ଜ ଜିସସଙ୍କୁ ସେ ସ୍ବୀକାର କରିବାକୁ କହିଥିଲେ। ହେଲେ ପର୍ତ୍ତୁଗାଲ କୋଚ୍ ନିଜ ଭୁଲ୍ ସ୍ବୀକାର କରି ନ ଥିଲେ। ଏହାକୁ କେନ୍ଦ୍ର କରି ରୋନାଲ୍ଡୋ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ତେବେ ରୋନାଲ୍ଡୋ ସୋସିଆଲ ମିଡିଆରେ ପୋଷ୍ଟ କରି ଫେଡେରେଶନର ପଦକ୍ଷେପ ସମ୍ପର୍କରେ ପୂର୍ବରୁ ଜଣାଥିଲା ବୋଲି ସୂଚନା ଦେବା ସହ ପ୍ରଶଂସକଙ୍କୁ ଫେୟାରଓ୍ବେଲ ମ୍ୟାଚ୍ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।