ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି। ସେହି ପ୍ରକୃତି ଦ୍ୱାରା ସୃଷ୍ଟ ଜଳବାୟୁ ମଣିଷକୁ ସର୍ବଦା ପାଳନ କରିଥାଏ। କିନ୍ତୁ ମଣିଷ ନିଜର ସ୍ବାର୍ଥ ହାସଲ ନିମନ୍ତେ ବର୍ତ୍ତମାନ ଉକ୍ତ ଜଳବାୟୁକୁ ନଷ୍ଟ କରିବାରେ ଉଦ୍ୟତ, ଯାହାଫଳରେ ଦିନକୁ ଦିନ ଆମେ ଜଳବାୟୁ ପରିବର୍ତ୍ତନ ଏବଂ ତାହାର ଭୟଙ୍କର ପ୍ରଭାବକୁ ଅନୁଭବ କରୁଛେ। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି, ଯାହାକି ବିରାଟ ସମସ୍ୟା ସୃଷ୍ଟି କରିଛି ପୃଥିବୀ ଏବଂ ପୃଥିବୀରେ ଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କ ନିମିତ୍ତ। ୧୯୦୧ ମସିହାରେ ପୃଥିବୀର ସମୁଦାୟ ଜନସଂଖ୍ୟା ୧୬୦ କୋଟି ଥିଲା, ଯାହାକି ବର୍ତ୍ତମାନ ସମୟରେ ବୃଦ୍ଧି ପାଇ ୮୩୦ କୋଟିରେ ପହଞ୍ଚତ୍ଲାଣି। ଠିକ୍‌ ସେହିପରି ଭାରତରେ ୧୯୦୧ ମସିହାରେ ଜନସଂଖ୍ୟା ୨୩.୮୪ କୋଟି ଥିଲା, ଯାହାକି ବୃଦ୍ଧି ପାଇ ଏବେ ୧୪୭. ୬ କୋଟିରେ ପହଞ୍ଚିଛି। ସାଧାରଣରେ କହିବାକୁ ଗଲେ ପୃଥିବୀରେ ୫ ଗୁଣ ଜନସଂଖ୍ୟା ବଢ଼ିଥିବା ବେଳେ ଭାରତର ଜନସଂଖ୍ୟାରେ ୬ ଗୁଣରୁ ଅଧିକ ବୃଦ୍ଧି ଘଟିଛି।
ଜନସଂଖ୍ୟା ବୃଦ୍ଧି ପାଇବା ଦ୍ୱାରା ମୁଖ୍ୟତଃ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ଶୋଷଣ ବଢୁଛି। ମାନବିକ ଅଭାବ ଅସୀମ, ତେଣୁ ମଣିଷର ଦିନକୁ ଦିନ ଗୋଟେ ଅଭାବ ପୂରଣ ହେବା ବେଳକୁ ଆଉ ଗୋଟିଏ ଅଭାବ ସୃଷ୍ଟି ହେଉଛି, ଯାହା ଫଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ମାନବିକ ଆବଶ୍ୟକତାରେ ବୃଦ୍ଧି ଘଟୁଛି। ବିଶେଷକରି ଭୂତଳ ଜଳ, ଗଛ, କୋଇଲା, ଖଣିଜ ତୈଳ ଆଦିର ଚାହିଦା ବୃଦ୍ଧି ପାଇଛି, ଯଦ୍ଦ୍ବାରା ଜଳବାୟୁ ପରିବର୍ତ୍ତନ ହୋଇ କୃଷି, ସ୍ବାସ୍ଥ୍ୟ, ଅର୍ଥନୀତି ଉପରେ ଅଧିକ କୁପ୍ରଭାବ ପଡ଼ୁଛି। ମଣିଷର ଅତିରିକ୍ତ କାର୍ଯ୍ୟକଳାପ ବିଶେଷ କରି ଶିଳ୍ପାୟନ, ସହରୀକରଣ, ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଦ୍ୱାରା ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ବଢ଼ିଥାଏ। ସମୟାନୁକ୍ରମେ ମଣିଷର ସଂଖ୍ୟା ବଢ଼ିବା ସହିତ ଘର, ଚାଷ କାମ ପାଇଁ ଜମିର ଚାହିଦା ବଢୁଛି। ସେହିପରି ଶିଳ୍ପ, ରାସ୍ତା ଏବଂ ଯାନବାହନ ବ୍ୟବହାର ବୃଦ୍ଧି ପାଇ ଜଙ୍ଗଲ କ୍ଷୟ ହେଉଛି। ତେଣୁ ଅତିରିକ୍ତ ଜଙ୍ଗଲ କ୍ଷୟ ହୋଇ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ ପରି ସବୁଜ ଗୃହ ବାଷ୍ପର ମାତ୍ରାରେ ବୃଦ୍ଧି ଘଟୁଛି। ସେଥିପାଇଁ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଇବାରେ ଲାଗିଛି। ଆମେ ପ୍ରତିବର୍ଷ ଦେଖୁଛେ ଖରାର ପ୍ରକୋପ ବୃଦ୍ଧି, ଅନିୟମିତ ବର୍ଷା, ଶୀତ ପ୍ରକୋପ ହ୍ରାସ ବୃଦ୍ଧି ଇତ୍ୟାଦି। କେବଳ ମଣିଷର ସଚେତନତା ଅଭାବରୁ ଜଳବାୟୁ ପରିବର୍ତ୍ତନ ହୋଇ ଏହିପରି ବିଷମ ପରିସ୍ଥିତି ସୃଷ୍ଟି ହେଉଛି। ଜନସଂଖ୍ୟା ଅଧିକ ହେବା ଦ୍ୱାରା ମଣିଷର ଆବଶ୍ୟକତାକୁ ନଜର ରଖି ଅସଂଖ୍ୟ ଛୋଟ ବଡ଼ କାରଖାନା ସୃଷ୍ଟି ହୋଇ ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ଏବଂ ବର୍ଜ୍ୟପଦାର୍ଥ ଓ ଦୂଷିତ ଜଳ ଦିନକୁ ଦିନ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଏସବୁ ଜଳବାୟୁ ପରିବର୍ତ୍ତନ କରିବାରେ ସିଂହଭାଗ ଭୂମିକା ଗ୍ରହଣ କରେ। ସେହିପରି ବନ୍ୟା, ମରୁଡ଼ି, ବାଦଲ ଫଟା ବର୍ଷା, ବାତ୍ୟା, ଘୂର୍ଣ୍ଣିଝଡ଼, ସମୁଦ୍ର ଜଳ ସ୍ତର ବୃଦ୍ଧି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ। ବର୍ତ୍ତମାନ ସମୟରେ ପୃଥିବୀରେ ମାତ୍ର ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ପ୍ରମୁଖ ଫସଲ ଉତ୍ପାଦନ ୩% ରୁ ୧୩% କମ୍‌ ହେବା ଦେଖାଯାଏ। ମଣିଷର କୁପ୍ରବୃତ୍ତି ବଳରେ ଜଳବାୟୁ ପରିବର୍ତ୍ତନ ହୋଇ ୧୯୬୧ ମସିହାଠାରୁ ବିଶ୍ୱ କୃଷି ଉତ୍ପାଦକତାକୁ ପ୍ରାୟ ୨୧% କମାଇ ଦେଇଛି। ଜଳବାୟୁ ପରିବର୍ତ୍ତନ ହେବା ଯୋଗୁ ବିଶ୍ୱରେ ଡେଙ୍ଗୁ, ହଇଜା, ମ୍ୟାଲେରିଆ, ଡାଇରିଆ, ହିଟ୍‌ ଷ୍ଟ୍ରୋକ, ଶାସ ରୋଗ, ଚିକୁନଗୁନିଆ, ମାନସିକ ସ୍ବାସ୍ଥ୍ୟ ସମସ୍ୟା ଭଳି ଅନେକ ପ୍ରକାରର ରୋଗ ଦ୍ରୁତ ଗତିରେ ବଢ଼ି ଚାଲିଛି। ଅତିରିକ୍ତ କଂକ୍ରିଟ ଗୃହ ସଂଖ୍ୟା ବଢ଼ିବା ଫଳରେ ସହର ଉଷ୍ମତା ଦୀପ ପାଲଟିଯାଉଛି, ଯାହା ଦ୍ୱାରା ସହର ଏବଂ ଗାଁଗୁଡ଼ିକରେ ତାପମାତ୍ରା ବଢ଼ି ଚାଲିଛି।
ଜନସଂଖ୍ୟା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଏବେ ବିଶ୍ୱ ସ୍ତରରେ ପ୍ରଚେଷ୍ଟା ଚାଲିଛି। ବିଶେଷକରି ଜନସଂଖ୍ୟାକୁ କମେଇବା ନିମିତ୍ତ ଉଚିତ ସଚେତନତା ଏବଂ ପରିବାର ନିୟୋଜନ ମାଧ୍ୟମରେ ନିୟନ୍ତ୍ରଣ କରିବା ଆବଶ୍ୟକ। ସେହିପରି ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ନିମିତ୍ତ ଅଧିକ ମାତ୍ରାରେ ବୃକ୍ଷ ରୋପଣ କରିବା ଦରକାର ଏବଂ ବୃକ୍ଷଗୁଡ଼ିକୁ ସୁରକ୍ଷା ଦେବା ଆବଶ୍ୟକ। ସୌର ଶକ୍ତି, ପବନ ଶକ୍ତି, ଜୁଆର ଶକ୍ତି ପରି ନବୀକରଣ ଯୁକ୍ତ ଶକ୍ତିର ବ୍ୟବହାର କରିବା ଉତ୍ତମ। ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ସମସ୍ୟାର ସମାଧାନ ନିମନ୍ତେ ପ୍ରଚେଷ୍ଟା ବଳବତ୍ତର ରହିଛି ବିଶ୍ୱ ସ୍ତରରେ। ଦିନକୁ ଦିନ ସହର ଏବଂ କଂକ୍ରିଟର ମାତ୍ରା ବୃଦ୍ଧି ପାଉଛି, ତେଣୁ ଏହାର ମାତ୍ରା କମାଇବା ଉଚିିତ। ଜନସଂଖ୍ୟା ଏବଂ ଜଳବାୟୁ ଅଙ୍ଗାଙ୍ଗୀ ଜଡ଼ିତ। ଜନସଂଖ୍ୟା ବଢ଼ିଲେ ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସ୍ବାଭାବିକ। ଠିକ୍‌ ସେହିପରି ଜଳବାୟୁ ପରିବର୍ତ୍ତନ ହେଲେ ମଣିଷ ନାନାଦି ରୋଗରେ ଶିକାର ହେବା ନିଶ୍ଚିତ। ବିଶେଷ କରି ଆଧୁନିକ ଯୁବ ସମାଜ ଚାହିଁଲେ ଏହାର ପ୍ରତିକାର ବ୍ୟବସ୍ଥା ଠିକ୍‌ ଭାବରେ ହୋଇପାରିବ। ଏହା ପ୍ରତି ଜନସଚେତନତା ସୃଷ୍ଟି କରିବା ଦ୍ୱାରା ଆମେ ଏବଂ ଆମର ଆଗାମୀ ଭବିଷ୍ୟତ ପିଢ଼ି ଉପକୃତ ହେବେ। ୨୦୧୫ ମସିହାରେ ପ୍ୟାରିସ ଚୁକ୍ତି ଦ୍ୱାରା ବିଶ୍ବ ଉଷ୍ମତା ବୃଦ୍ଧିକୁ ୨ ଡିଗ୍ରୀ ରୁ ୧.୫ ଡ଼ିଗ୍ରୀ ମଧ୍ୟରେ ସୀମିତ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନେକ ଦେଶ ୨୦୫୦ ରୁ ୨୦୭୦ ମଧ୍ୟରେ ନେଟ୍‌ ଜିରୋ ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ରୋକିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି, ଯାହାର ଉଦାହରଣ ହେଉଛି ବୈଦ୍ୟୁତିକ ଯାନବାହନ(ଇଭି)ର ବ୍ୟବହାର। ଏହିଭଳି ଭାବରେ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରହିଲେ ପୃଥିବୀକୁ ସୁରକ୍ଷିତ ରଖାଯାଇପାରିବ।
-ଅଧ୍ୟାପକ (ଭୂଗୋଳ ବିଭାଗ), ବାଙ୍କୀ ସୟଂଶାସିତ ମହାବିଦ୍ୟାଳୟ, କଟକ
ମୋ: ୯୦୪୦୩୫୦୦୮୯

Share
Tags: editorial