ପୋପ୍‌ଙ୍କୁ କ୍ୟାନସର୍‌: ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଭାଟିକାନ ସିଟି,୧୪।୧୨: କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ ଲିଓ ଚତୁର୍ଦ୍ଦଶଙ୍କ ଫୁସ୍‌ଫୁସ୍‌ରେ କ୍ୟାନ୍‌ସର୍‌ ରୋଗ ଚିହ୍ନଟ ହୋଇଛି। ରୋମ୍‌ର ଜେମେଲି ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ଡାକ୍ତରମାନେ ତାଙ୍କ ଡାହାଣ ଫୁସ୍‌ଫୁସର ତଳ ଭାଗକୁ ବାହାର କରିଛନ୍ତି। ଭାଟିକାନ ପକ୍ଷରୁ ଜାରି ମେଡିକାଲ ବୁଲେଟିନ ଅନୁଯାୟୀ, ପରୀକ୍ଷାରୁ ତାଙ୍କଠାରେ ଲଙ୍ଗ ଆଡେନୋକାର୍ସିନୋମା ରୋଗ ନିଶ୍ଚିତ ହୋଇଛି।

ଅସ୍ତ୍ରୋପଚାର ପୂର୍ବରୁ କରାଯାଇଥିବା ଯାଞ୍ଚରେ ମଧ୍ୟ ଏହି ରୋଗର ଆଶଙ୍କା ପ୍ରକାଶ ପାଇଥିଲା। ପ୍ରାୟ ୯୦ ମିନିଟ ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳ ହୋଇଥିବାବେଳେ କୌଣସି ଜଟିଳତା ଦେଖାଦେଇ ନ ଥିବା ସୂଚନା ମିଳିଛି। ତେବେ କ୍ୟାନସର୍‌ ରୋଗ କେଉଁ ପର୍ଯ୍ୟାୟରେ ରହିଛି ଏବଂ ପରବର୍ତ୍ତୀ ଚିକିତ୍ସା କିପରି ହେବ, ସେନେଇ ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ।
ପୋପ ଲିଓ ଚତୁର୍ଦ୍ଦଶଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ଖବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପୋପଙ୍କ ଶୀଘ୍ର ଓ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି। ମୋଦି ଲେଖିଛନ୍ତି ଯେ, ପୋପଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ଜାଣି ସେ ଆନନ୍ଦିତ ଏବଂ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।

 

Dharitri – Odisha’s No.1 Odia Daily

 

Share