ନିର୍ବାଚନକୁ କରୋନା ଭୟ

ଢେଙ୍କାନାଳ ଅଫିସ, ୧।୨ କରୋନାର ତୃତୀୟ ଲହର, ଓମିକ୍ରନ ଆତଙ୍କ ମଧ୍ୟରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିବା ଢେଙ୍କାନାଳ ଜିଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଆସୁଥିବାବେଳେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସୋମବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲ୍‌ରେ ସୋମବାର ଅପରାହ୍ନରେ ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ, ପୋଲିସ, ଡ୍ରାଇଭର ଏବଂ ଶିକ୍ଷକଙ୍କ ୪୮ ଘଣ୍ଟା ପୂର୍ବରୁ କୋଭିଡ୍‌ ପରୀକ୍ଷା କରାଯିବ। ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଯିବ। କୋଭିଡ୍‌ ଆକ୍ରାନ୍ତମାନେ ମତଦାନର ଶେଷ ଘଣ୍ଟାକରେ ମତଦାନ ସାବ୍ୟସ୍ତ କରିବେ। ମତଦାନ ଲାଗି ଉଦ୍ଦିଷ୍ଟ ସମସ୍ତ ବୁଥ୍‌ ଏବଂ ନିର୍ବାଚନରେ ବ୍ୟବହୃତ ସାମଗ୍ରୀକୁ ବିଶୋଧନ କରାଯିବ। କୋଭିଡ୍‌ ନିୟମ ଅନୁଯାୟୀ ନିର୍ବାଚନ ପରିଚାଳନା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ସଂକ୍ରମଣ କମୁଛି। ଜନସାଧାରଣଙ୍କୁ ସଚେତନ କରାଇବାକୁ ନିୟମିତ ବ୍ୟବଧାନରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିବାକୁ ବିଡିଓ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ କରୋନା ସ୍ଥିତି, ଆଣ୍ଟିଜେନ୍‌, ଆର୍‌ଟି-ପିସିଆର୍‌ ଟେଷ୍ଟ, ଟିକାକରଣ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାସ ସୂଚନା ଦେଇଥିଲେ। ଏହି ଅବସରରେ ‘୫-ଟି’ ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଅଗ୍ରଗତି, ଭତ୍ତା ଯୋଜନା, ବସ୍‌ଷ୍ଟାଣ୍ଡ ଓ ଷ୍ଟାଡିୟମ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଓସ୍‌ଡମା ଡିପିଓ ନିମାଇଁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।