ଭୁବନେଶ୍ୱର, ୧୭ା୪(ସୁନିତ୍ ମିଶ୍ର): ସମାଜବାଦୀ ପାର୍ଟି(ଏସ୍ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିବା ଆରମ୍ଭ ହୋଇଛି। ଅଖିଳେଶ ଭୁବନେଶ୍ବର ଆସି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ସାମାଜିକ ନ୍ୟାୟ ଉପରେ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଶ୍ରୀକାନ୍ତ ଜେନାଙ୍କ ସହ ଦିଲ୍ଲୀରେ ଦେଖାହୋଇଥିଲା, ତାଙ୍କ କଥା ମନକୁ ପାଇଛି ବୋଲି ଅଖିଳେଶ କହିଛନ୍ତି। ଏସ୍ପି ଏବେ ଇଣ୍ଡିଆ ମେଣ୍ଟରେ ଥିବାବେଳେ ଅଖିଳେଶ ଓଡ଼ିଶା ଆସିବା ବେଳକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନ ରହିବା ଏବଂ ଶ୍ରୀକାନ୍ତଙ୍କ ଦୀର୍ଘଦିନର ଦାବିକୁ ଉଠାଇ ଖବରଦାତା ସମ୍ମିଳନୀ କରିବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଧରଣର ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ଭକ୍ତ ଦଳୀୟ କାର୍ଯ୍ୟକ୍ରମ ଥିବା ଯୋଗୁ ଅଖିଳେଶଙ୍କୁ ଭେଟିପାରି ନ ଥିବା କହିଛନ୍ତି। ଅନ୍ୟପଟେ ଅଖିଳେଶଙ୍କ ଦଳରେ ଶ୍ରୀକାନ୍ତ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାକୁ ଶ୍ରୀକାନ୍ତ ଖଣ୍ଡନ କରିଦେଇଛନ୍ତି।
ପ୍ରତିକ୍ରିୟା ଦେଇ ଶ୍ରୀକାନ୍ତ କହିଛନ୍ତି, କଂଗ୍ରେସରେ ସେ ଅଛନ୍ତି ଆଉ ରହିବେ। ସମାଜବାଦୀ ପାର୍ଟିରେ ମିଶିବା ନେଇ ଚାଲିଥିବା ଚର୍ଚ୍ଚା ଭୁଲ୍ କଥା। ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜୋର୍ଦାର ହେବ। ଜାତିଗତ ଜନଗଣନା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିସାରିଛନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି।
ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଅଖିଳେଶ ଯାଦବ ଇଣ୍ଡିଆ ମେଣ୍ଟରେ ଅଛନ୍ତି। ତାଙ୍କର ଯେଉଁ ପୁରୁଣା ଜଣାଶୁଣା ଲୋକ ଥିଲେ ସେମାନଙ୍କୁ ଭେଟିବାକୁ ଆସିଛନ୍ତି। ତାଙ୍କୁ ମଧ୍ୟ ଦେଖାହେବା ଲାଗି ଡକାଇଥିଲେ। କାର୍ଯ୍ୟ ବ୍ୟସ୍ତତାରୁ ଯାଇପାରିଲେ ନାହିଁ ବୋଲି ଭକ୍ତ କହିଛନ୍ତି।


