ରାଜନୈତିକ ହିଂସା: ଭୋଟ ଗଣତି ପୂର୍ବରୁ ଜାଳିଦେଲେ କାର

ବ୍ରହ୍ମପୁର ଅଫିସ,୨୬।୩: ପୁଣିଥରେ ପୌର ନର୍ବାଚନକୁ ନେଇ ବ୍ରହ୍ମପୁରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲିରେ ଭାଜପା ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଥିବା ଏକ କାରରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିପଲି ଖଳାସାହିରେ ଏକ କାରରେ ନିଆଁ ଲାଗିଥିବା ସାହି ଲୋକ ଦେଖିବାକୁ ପାଇଥିଲେ। ସେମାନେ କାର ମାଲିକ ଅନୁଜା ନନ୍ଦ ବିଶ୍ୱାଳଙ୍କୁ ଫୋନ କରି ଜଣାଇଥିଲେ। ପରେ ସେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । ହେଲେ କାରଟି ଜଳି ଯାଇଛି।
୩ ଦିନ ତଳେ ଲାଞ୍ଜିପଲିରେ ଜଣେ ପ୍ରଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ସତ୍ୟ ନାରାୟଣ ଜେନାଙ୍କୁ କେତେକ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପ୍ରଚାର ନ କରିବାକୁ କହି ସତ୍ୟନାରାୟଣଙ୍କୁ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଶନିବାର ମହାନଗର ନିଗମ ନିର୍ବାଚନ ଫଳ ଘୋଷଣା ହେବାକୁ ଥିବା ବେଳେ ଶୁକ୍ରବାର ରାତିରେ କେତେକ ଯୁବକ ରାଜନୈତିକ ଶତ୍ରୁତା ରଖି କାରରେ ନିଆଁ ଲଗାଇ ଦେଇଛନ୍ତି ବୋଲି ଅନୁଜାନନ୍ଦ ବିଶ୍ୱାଳ କହିଛନ୍ତି।