ରାଜନୈତିକ ସମୀକରଣ ବଦଳିବା ସମ୍ଭାବନା: ଖୁବ୍‌ଶୀଘ୍ର ଭାଜପାରେ ମିଶିପାରନ୍ତି ଲଲାଟେନ୍ଦୁ

ଜଗତ୍‌ସିଂହପୁର, ୮ା୪(ପ୍ରମୋଦ କୁମାର ନାୟକ):ଏକଦା ଓଡ଼ିଶା ରାଜନୀତିରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ନଁା ଥିଲା। ଜଗତ୍‌ସିଂହପୁର ଜିଲାରେ ସେ ବେଶ୍‌ ଲୋକପ୍ରିୟ ଥିଲେ। ସେ ୩ ଥର ଅର୍ଥାତ୍‌ ୧୯୭୧, ୧୯୭୪ ଓ ୧୯୮୦ ସାଧାରଣ ନିର୍ବାଚନରେ ତତ୍କାଳୀନ ବାଲିକୁଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ତାଙ୍କ ପୁଅ ହିସାବରେ ଲଲାଟେନ୍ଦୁ ମହାପାତ୍ର (ଜିତୁ) ୧୯୯୫ରେ ରାଜନୀତିରେ ପାଦ ଥାପି ପ୍ରଥମ ଥର ପାଇଁ ବାଲିକୁଦା ଆସନରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇ ଜିତିଥିଲେ। କିନ୍ତୁ ୨୦୦୦ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଅଣଦେଖା କରିଥିଲା। ଅର୍ଥାତ୍‌ ପ୍ରାର୍ଥୀ ନ କରି ତାଙ୍କ ସ୍ଥାନରେ ଜନତା ଦଳ ନେତା ଉମେଶ ସ୍ବାଇଁଙ୍କୁ କଂଗ୍ରେସରେ ମିଶାଇ ପ୍ରାର୍ଥୀ କରିଥିଲା। ଏହାଦ୍ୱାରା ଜିତୁଙ୍କ ରାଜନୈତିକ କ୍ୟାରିୟରରେ ବାଧା ସୃଷ୍ଟି ହୋଇଥିଲା। ତଥାପି ସେ ଦଳ ନ ଛାଡ଼ି ନିରବଚ୍ଛିନ୍ନ ଭାବେ ସଙ୍ଗଠନ ପାଇଁ କାମ କରି ଚାଲିଥିଲେ। ୧୪ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କଲା ଏବଂ ବାଲିକୁଦା-ଏରସମା ବିଧାନସଭା ଆସନ ପାଇଁ ଦଳୀୟ ଟିକେଟ ଦେଲା। କିନ୍ତୁ ସେ ଜିତିପାରି ନ ଥିଲେ। ତା’ପର ନିର୍ବାଚନ ଅର୍ଥାତ୍‌ ୨୦୧୯ରେ ଏହି ଆସନରେ ଦଳ ପୁଣିଥରେ ତାଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ଅନୁରୂପ ଭାବେ ଜିତୁ ପରାଜିତ ହୋଇଥିଲେ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ବତନ୍ତ୍ର ଭାବେ ଧରିତ୍ରୀକୁ କହିଥିଲେ। କଂଗ୍ରେସ ଛାଡ଼ିବା ନିଷ୍ପତ୍ତି ଉପରେ ସେ କହିଥିଲେ, ଏହି ଦଳରୁ ପ୍ରାର୍ଥୀ ହେବା ପାଇଁ ଅର୍ଥ ବାଧକ ସାଜିଛି। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିତୁ ଆପାତତଃ ସୋମବାର କଂଗ୍ରେସ ଛାଡ଼ିପାରନ୍ତି। କେବଳ ଏତିକି ନୁହେଁ, ଖୁବଶୀଘ୍ର ଅର୍ଥାତ୍‌ ଦିନେ ଦୁଇଦିନ ଭିତରେ ଭାଜପାରେ ମିଶି ପ୍ରାର୍ଥୀ ହୋଇପାରନ୍ତି। ଏହାହେଲେ ବାଲିକୁଦା-ଏରସମା ବିଧାନସଭା ଆସନରେ ରାଜନୈତିକ ସମୀକରଣ ବଦଳିବା ସମ୍ଭାବନା ଅଛି। କାରଣ ଜିତୁଙ୍କ ଭୋଟ ବ୍ୟାଙ୍କ ଭାଜପାକୁ ସହାୟକ ହେବ ବୋଲି ଆଶା କରାଯାଉଛି। ୨୦୧୪ ନିର୍ବାଚନରେ ଜିତୁ ୩୯,୯୮୧ ଓ ୨୦୧୯ରେ ୪୯,୨୩୧ ଖଣ୍ଡ ଭୋଟ ପାଇଥିଲେ। ବଡ କଥା ହେଲା, କଂଗ୍ରେସର ଦୁର୍ବଳ ସମୟରେ ସେ ଏତେ ଭୋଟ ପାଇବା ଭାଜପା ନେତୃତ୍ୱଙ୍କୁ ଆକର୍ଷିତ କରିଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ସେତେବେଳର ଭାଜପା ପ୍ରାର୍ଥୀ ସ୍ବର୍ଗତ ଡ. ଦାମୋଦର ରାଉତଙ୍କୁ ମାତ୍ର ୩୭,୬୧୧ ଖଣ୍ଡ ଭୋଟ ମିଳିଥିବାବେଳେ ଜିତୁଙ୍କୁ ତାଙ୍କଠାରୁ ଯଥେଷ୍ଟ ଅଧିକ ଭୋଟ ମିଳିଥିଲା। ଏହିସବୁ ଦୃଷ୍ଟିରୁ ଜିତୁଙ୍କୁ ଭାଜପା ଦଳରେ ମିଶାଇବା ପାଇଁ ଚିନ୍ତା କରୁଥିବା କୁହାଯାଉଛି। ଅନ୍ୟପଟେ ଜିତୁ ଯେଉଁ ଅର୍ଥାଭାବକୁ ନେଇ ଚିନ୍ତା କରୁଛନ୍ତି ଭାଜପାରେ ମିଶିଲା ପରେ ତାହା ରହିବ ନାହିଁ ବୋଲି କୁହାଯାଉଛି।