ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ପରେ ଏହି ପ୍ରତିଶ୍ରୁତିରୁ ଅଧିକାଂଶ ମିଥ୍ୟା ପ୍ରମାଣିତ ହୋଇଥାଏ, ଯାହା ଦଳ କେବେ ସମୀକ୍ଷା କରିବାକୁ ଚାହିଁ ନ ଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ବାର୍ଷିକ ରିପୋର୍ଟରୁ ପ୍ରକାଶ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନକଲି ନୋଟ୍‌ ସଂଖ୍ୟା ୫.୭%କୁ ବୃଦ୍ଧି ପାଇଛି। ଏହି ମୁଦ୍ରା ମଧ୍ୟରେ ୫୦୦ ଟଙ୍କିଆ ନୋଟ୍‌ର ଅଂଶ ଅଧିକ। ଏଥିସହ ୨୦୦, ୧୦୦ ଓ ୫୦ ଟଙ୍କିଆ ଜାଲ୍‌ ନୋଟ୍‌ ମଧ୍ୟ ବଜାରରେ ପ୍ରଚଳିତ ରହିଛି ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ଏବେ ଦେଖିବା ନକଲି ଟଙ୍କା କାରବାର ସମ୍ପର୍କରେ କ’ଣ ଥିଲା ସରକାରୀ ପ୍ରତିଶ୍ରୁତି?
ପ୍ରଥମ କ୍ଷମତାସୀନ ହେବା ପରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ବିମୁଦ୍ରୀକରଣ ପାଇଁ ପ୍ରଥମ ବଡ଼ ନିଷ୍ପତ୍ତି ନେଇଥିଲେ। ୨୦୧୬ ନଭେମ୍ବର ୮ ରେ ଅଚାନକ ଭାବେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳହେବା ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହାଦ୍ୱାରା ଦେଶରେ ଚାଲିଥିବା କଳାଅର୍ଥର ସମାନ୍ତରାଳ ଅର୍ଥନୀତି ଭାଙ୍ଗିପଡ଼ିବା ସହ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହ୍ରାସପାଇବ ବୋଲି କୁହାଗଲା। ସରକାରଙ୍କ ଏହି ନିଷ୍ପତ୍ତିକୁ ଦଳୀୟ ନେତା ଓ ମନ୍ତ୍ରୀ ସମସ୍ବରରେ ବାରମ୍ବାର କହିଲେ। ଏହି ଆକସ୍ମିକ ନିଷ୍ପତ୍ତିରେ ସାଧାରଣ ଜନତା ହଇରାଣ ହରକତ ହେଲେ, କିନ୍ତୁ ଆଶା ରଖିଲେ ଯେ, କଳାଟଙ୍କା ମୂଳ ଉପତ୍ାଟନ ହେବ। ସରକାର ମଧ୍ୟ ଆଶା କରିଥିଲେ ୩ ଲକ୍ଷ କୋଟି ଟଙ୍କା ଅଚଳ ହେବ । କିନ୍ତୁ ଦେଖାଗଲା ମାତ୍ର ୧୦,୭୦୦ କୋଟି ଟଙ୍କା ଅଚଳ ହେଲା। ଏହି ନିଷ୍ପତ୍ତିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେତେବେଳେ ‘ସଂଗଠିତ ଲୁଣ୍ଠନ’ ବୋଲି ବର୍ଣ୍ଣନା କରିଥିଲେ। ପରିଶେଷରେ ଦେଖାଗଲା ଯେ, ମନମୋହନଙ୍କ କଥା ଠିକ୍‌ ହେଲା। ପରେ ସରକାର ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନକରି ତାକୁ ମଧ୍ୟ ପ୍ରତ୍ୟାହାର କଲେ। ମାତ୍ର ୧୦ ବର୍ଷ ମଧ୍ୟରେ ବଜାରରେ ଏବେ ପୁଣି ମାଳମାଳ ଜାଲ୍‌ ନୋଟ୍‌। ଦେଶରୁ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ମଧ୍ୟ ଲୋପ ହୋଇପାରିଲା ନାହିଁ। କଶ୍ମୀରରେ ପ୍ରତିଦିନ ସୁରକ୍ଷା ଯବାନ ହୁଅନ୍ତୁ ବା ଉଗ୍ରବାଦୀ ହୁଅନ୍ତୁ ପ୍ରାଣ ହରାଉଥିବା ଦେଖାଯାଉଛି। ନିର୍ବାଚନ ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ବିଦେଶରେ ଥିବା କଳାଟଙ୍କା ଅଣାଯାଇ ଜନସାଧାରଣଙ୍କୁ ବଣ୍ଟନ କରାଯିବ। ଏ ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ।
ଭାଜପା ସରକାର ଆସିବା ପରେ ୨୦୧୭ରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ନାମରେ ଏକ ନୂଆ ସଂସ୍ଥା ଗଠନକରି ଉଭୟ ପରୀକ୍ଷା ଦାୟିତ୍ୱ ଏହି ସଂସ୍ଥା ଉପରେ ନ୍ୟସ୍ତକଲେ। କୁହାଗଲା ନୂଆ ଢାଞ୍ଚା ତଥା ସ୍ବଚ୍ଛ ପଦ୍ଧତିରେ ଏହି ସଂସ୍ଥା ପରୀକ୍ଷା ପରିଚାଳନା କରିବ। କିନ୍ତୁ ଦେଖାଗଲା ଯେ ୨୦୨୪ରେ ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ପ୍ରଘଟ ହେଲା। ଦେଶବ୍ୟାପୀ ଏନ୍‌ଟିଏ ନିନ୍ଦିତ ହେଲା। ଏହି ଘଟଣାରେ ସିବିଆଇ ୪୦ ଜଣଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ୨୦୨୪ ଶିକ୍ଷାବର୍ଷରେ ୨୪ ଲକ୍ଷ ବିଦ୍ୟାର୍ଥୀ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩.୫ ଲକ୍ଷ ପରୀକ୍ଷାର୍ଥୀ ଅଧିକ ନମ୍ବର ରଖିଥିବା ଜଣାପଡ଼ିଲା। ଫଳରେ ପରୀକ୍ଷା ବାତିଲକରି ପୁନଃ ପରୀକ୍ଷା ପାଇଁ ଦାବି ଉଠିଲା। ମାମଲା ଶୀର୍ଷ ଅଦାଲତକୁ ଗଲା। କେତେକ କେନ୍ଦ୍ରରେ ପୁନଃ ପରୀକ୍ଷା କରାଗଲା। ସେହିବର୍ଷ ୟୁଜିସି-ଏନ୍‌ଇଟି ପରୀକ୍ଷା ପ୍ରଶ୍ନପତ୍ର ମଧ୍ୟ ପ୍ରଘଟ ହେଲା। ଫଳରେ ପରୀକ୍ଷା ବାତିଲ କରାଗଲା। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏନ୍‌ଟିଏ ନିର୍ଦ୍ଦେଶକ ସୁବୋଧ କୁମାର ସିଂହଙ୍କୁ ପଦବୀରୁ ହଟାଇବାକୁ ସରକାର ବାଧ୍ୟହେଲେ। ଏନ୍‌ଟିଏ କାର୍ଯ୍ୟଧାରା ଅନୁଧ୍ୟାନକରି ଆବଶ୍ୟକ ସଂସ୍କାର ସୁପାରିସ କରିବାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ କରାଗଲା। ଏହାର ଫଳାଫଳ କ’ଣ ହେଲା ତାହା ଦେଶବାସୀ ଜାଣିଲେ ନାହିଁ। ମାତ୍ର ୨ ବର୍ଷ ପରେ ଚଳିତ ବର୍ଷ ପୁଣି ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ପ୍ରଘଟ ହେଲା। ଏଥର ମଧ୍ୟ ପୁଣିି ସିବିଆଇ ତଦନ୍ତ। ଏନ୍‌ଟିଏ ପ୍ରତିଷ୍ଠା ସମୟର ବକ୍ତବ୍ୟକୁ ସରକାର ଏବେ ସ୍ମରଣ କରିବାର ଆବଶ୍ୟକତା ରହିଛି।
ଦେଶର ପରୀକ୍ଷା ପଦ୍ଧତିକୁ ବିକେନ୍ଦ୍ରୀକରଣ ନ କରି କେନ୍ଦ୍ରୀଭୂତ କରିବାକୁ ଯାଇ କେନ୍ଦ୍ର ସରକାର ଏ ପ୍ରକାର ସମସ୍ୟାକୁ ଆମନ୍ତ୍ରଣ କରୁଛନ୍ତି। ପୂର୍ବରୁ ଯେଉଁ ସଂସ୍ଥା ବିଭିନ୍ନ ପରୀକ୍ଷା ପରିଚାଳନା କରୁଥିଲା ସମ୍ପୃକ୍ତ ସଂସ୍ଥାର ସଶକ୍ତୀକରଣ ନ କରି ନୂଆ ସଂସ୍ଥା ଗଠନ କରିବାର କ’ଣ ଆବଶ୍ୟକତା ଥିଲା ? ଏଥିରୁ କି ପ୍ରକାର ସୁଫଳ ଅଦ୍ୟାବଧି ମିଳିଛି ? ଏ ପ୍ରଶ୍ନର ଉତ୍ତର ସରକାର ରଖୁନାହାନ୍ତି। ବାତିଲ, କାର୍ଯ୍ୟାନୁଷ୍ଠାନ, ସଂସ୍କାର, ତ୍ରୁଟି ସଂଶୋଧନ ଆଦି କଥା କୁହାଯାଉଛି। ଗୋଟିଏ ଦୋଷ ଘୋଡ଼ାଇବାକୁ ଇଚ୍ଛାକରି ସରକାର ଆଉ ଏକ ନୂଆ କଥାର ଅବତାରଣା କରିଚାଲିଛନ୍ତି।
ଏବେ ଆସିବା କୋଭିଡ୍‌ ପ୍ରସଙ୍ଗକୁ। କୋଭିଡ୍‌ର ପ୍ରଥମ ଲହର ଦେଶରେ ୨୦୨୦ରେ ଦେଖାଦେଲା। ସଂକ୍ରମଣ ୧୦୦୦ ମଧ୍ୟରେ ଥିବାବେଳେ ସମଗ୍ର ଦେଶରେ ତାଲାବନ୍ଦ ଘୋଷଣା କରାଗଲା। ଟିକାକରଣ ବାଧ୍ୟତାମୂଳକ କରାଗଲା। ଜନତା ଅକଥନୀୟ ଦୁଃଖଦୁର୍ଦ୍ଦଶା ଭୋଗକଲେ। ଦେଶର ଆର୍ଥିକ ସ୍ଥିତି ଦୁର୍ବଳହେଲା। ଫଳରେ ତାଲାବନ୍ଦ କ୍ରମଶଃ ପ୍ରତ୍ୟାହାର କରାଗଲା ଏବଂ କରୋନା ଉପରେ ଭାରତର ବିଜୟର ସଙ୍କେତ ଭାବେ ଭାରତୀୟ ବାୟୁସେନା ବିମାନରୁ ଡାକ୍ତରଖାନା ଉପରେ ପୁଷ୍ପ ବୃଷ୍ଟି କରାଗଲା। ଅମଲାତନ୍ତ୍ର, ବୈଜ୍ଞାନିକ, ଗବେଷକ ସମ୍ପ୍ରଦାୟ ମଧ୍ୟ ସରକାରଙ୍କ ସଫଳତା ସହ ଏକମତ ହୋଇଗଲେ। ଆଇସିଏମ୍‌ଆର୍‌ ସରକାରଙ୍କ ସହ ସ୍ବର ମିଳାଇଥିଲା। ପରେ ଦ୍ୱିତୀୟ କୋଭିଡ୍‌ ଲହର କ୍ଷିପ୍ର ବେଗରେ ଆସିଲା। ଦେଶର ସ୍ଥିତି ଅସମ୍ଭାଳ ହେଲା। କୋଭିଡ୍‌ ବିଜୟରେ ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ବୋଲି କହୁଥିବା ସରକାର ବିଶ୍ୱ ସମ୍ପ୍ରଦାୟ ଦ୍ୱାରା ସମାଲୋଚନାର ଶିକାର ହେଲା। ବିଫଳତାକୁ ଢାଙ୍କିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କୋଭିଡ୍‌କୁ ‘ଈଶ୍ୱର ଦତ୍ତ’ ବୋଲି ବର୍ଣ୍ଣନାକଲେ। ପରିଶେଷରେ ଟିକା ଉପତ୍ାଦନକାରୀ ସଂସ୍ଥା ଆଷ୍ଟ୍ରାଜେନିକା ମଧ୍ୟ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ସ୍ବୀକାରକଲା। ଏହି ଟିକା ଦ୍ୱାରା ଜନସାଧାରଣଙ୍କ ପ୍ରାଣହାନି ହେଉଥିବା ଅଭିଯୋଗକରି କମ୍ପାନୀ ବିରୋଧରେ ବ୍ରିଟେନ ଅଦାଲତରେ ୫୧ଟି ମାମଲା ଦାଏର ହୋଇଛି। ଏହି ମାମଲାର ଶୁଣାଣି ସମୟରେ କମ୍ପାନୀ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗକୁ ସ୍ବୀକାର କରିଛି ଏବଂ ଜଣାଇଛି ଯେ ଏହି ଟିକା ଥ୍ରମ୍ବୋସିସ୍‌ ସହ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ସୃଷ୍ଟି କରିଥାଏ। ଏହାଦ୍ୱାରା ରକ୍ତ ଜମାଟ ବାନ୍ଧିଥାଏ ଓ ରକ୍ତରେ ପ୍ଲେଟ୍‌ଲେଟ୍‌ ହ୍ରାସ ପାଇଥାଏ। ଏହାର ଲକ୍ଷଣଗୁଡ଼ିକ ହେଲା ପ୍ରବଳ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା, ଗୋଡ଼ ଫୁଲିବା, ନିଃଶ୍ୱାସରେ ସମସ୍ୟା ଦେଖାଦେବା ଓ କେତେକ ସ୍ନାୟବିକ ବିଲକ୍ଷଣ। ଟିକା ଉପତ୍ାଦନର ଗବେଷଣାକାରୀ ସଂସ୍ଥା ହେଲା ଅକ୍ସଫୋର୍ଡ ୟୁନିଭରସିଟି। ବାଧ୍ୟତାମୂଳକ ଭାବେ ଦିଆଯାଇଥିବା ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ସରକାର ଏବେ କାହିଁକି କିଛି ଉତ୍ତର ରଖୁନାହାନ୍ତି ?
ଉପରୋକ୍ତ ଘଟଣାଗୁଡ଼ିକ ସମୀକ୍ଷାକଲେ ଜଣାଯାଏ ଯେ ରାଜନୈତିକ ଦଳଗୁଡ଼ିକ ପରିଣାମ ସମ୍ପର୍କରେ ସଚେତନ ନ ରହି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରାଇଥାନ୍ତି। ଜନସାଧାରଣଙ୍କୁ ପ୍ରଲୋଭିତ କରିବା ବା ନିଜର ପାରିବାପଣିଆ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଶ୍ରୁତି ପ୍ରଦାନ କରାଯାଇଥାଏ। ଏହାଦ୍ୱାରା ସାଧାରଣ ଜନତା ଭ୍ରମିତ ହୋଇଥାନ୍ତି। ଏହି ଗୋଳିଆପାଣି ମଧ୍ୟରେ ରାଜନୈତିକ ଦଳ ନିଜ କ୍ଷମତା ସୁରକ୍ଷିତ ରଖିପାରିଥାନ୍ତି। ପରେ ପ୍ରତିଶ୍ରୁତିର ପରିଣାମ ଭୁଲିଯାଇ ଆଉ ଏକ ନୂଆ ବିଷୟ ଉଠାଇଥାନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତା ରାଜନୈତିକ ଦଳର ପ୍ରତିଶ୍ରୁତି ପ୍ରତି ଯଥେଷ୍ଟ ସଚେତନ ରହିବା ଆବଶ୍ୟକତା ରହିଛି। କାରଣ ଦଳୀୟ ପ୍ରତିଶ୍ରୁତି କ୍ରମଶଃ ପ୍ରତାରଣାରେ ପରିଣତ ହେଉଥିବା ଦେଖାଯାଉଛି।

ମୋ: ୯୪୩୭୨୨୯୨୩୩

Dharitri – Odisha’s No.1 Odia Daily

 

Share
Tags: editorial