ଠିକା କାମ, ରାଜନୈତିକ ଶତ୍ରୁତା ମୁଖ୍ୟ କାରଣ

ଖଲ୍ଲିକୋଟ,୨୨ା୧୦(ଡି.ଏନ.ଏ.): ଖଲ୍ଲିକୋଟ ଥାନା ରାଇପଡା ରାସ୍ତାରେ ଭିକାପଡା ଗ୍ରାମର ଅଘରି ନାହାକ ଓରଫ ହଟିଆ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଭିକାପଡାର ସୁରଜ ଦଳେଇ ଓରଫ ବାବୁ ଓ ମୁରଲୀଧର ସାହୁଙ୍କୁ ଶୁକ୍ରବାର ଗିରଫ କରିଛି। ୨୦୨୦ରେ ଭିକାପଡା ଗ୍ରାମର ସମିତି ସଭ୍ୟ ମୁରଲୀଧର ଓ ଅଘରୀଙ୍କ ମଧ୍ୟରେ ରାଜନୀତି ଓ ଠିକା କାମକୁ ନେଇ ଶତ୍ରୁତା ଲାଗି ରହିଥିଲା। ତେଣୁ ମୁରଲୀ ହଟିଆକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ସୁରଜ ଦଳେଇ, ସାଗର ସାହୁ, ରାଜେଶ ଯାନୀ ଏବଂ ଅନ୍ୟ କେତେଜଣଙ୍କୁ ସୁପାରୀ ଦେଇଥିଲା। ୩ ଲକ୍ଷ ଟଙ୍କା ସୁପାରୀ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏକ ଲକ୍ଷ ଟଙ୍କା ଦେଇଥିବା ସୂଚନା ମିଳିଛି। ଶୁକ୍ରବାର ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ପ୍ରଦାନ କରିଥିଲେ। ଗତ ୬.୧୨.୨୦୨୧ ରାତିର ଭିକାପଡାର ଅଘରି ନାହାକ ଓ କୈରାଶି ଗ୍ରାମର ରାଜେଶ ଏକ ବାଇକ ଯୋଗେ କୁରୁମିପୁରଠାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ସିଆଳିଆପାଟ ରାଇପଡା ରାସ୍ତାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗଛ କାଟି ରାସ୍ତା ଅବରୋଧ କରିଥିଲେ। ହଟିଆ ଏବଂ ରାଜେଶ ସେଠାରେ ଅଟକିବା ମାତ୍ରେ ଲୁଚି ରହିଥିବା ଦୁର୍ବୁତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଅଘରିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ରାଜେଶଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ନଂ. ୭୩୬/୨୧ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ସିଆଳିଆପାଟ ରାମଚନ୍ଦ୍ରପୁର ଗ୍ରାମର ସାଗର ସାହୁଓ ଘୋଡାପଡା ଗ୍ରାମର ରାଜେଶ ଯାନୀଙ୍କୁ ପୋଲିସ ଗିରଫ କରିଥିଲା। ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏସଡିପିଓଙ୍କ ତତ୍ତ୍ୱାବଧାନରେ ଖଲ୍ଲିକୋଟ ଆଇଆଇସିଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ଏସଆଇ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଗୋଟିଏ ଟିମ ଓ ଏସଆଇ ହିମାଂଶୁ ପାତ୍ରଙ୍କ ନେତୃତ୍ୱରେ ଦୁଇଟି ଟିମ ମୁମ୍ବାଇ ଓ ଭୋପାଲ ଯାଇ ସୁରଜ ଓ ମୁରଲୀଙ୍କୁ ଗିରଫ କରିଥିଲେ। ଖଲ୍ଲିକୋଟ ଆଣିବା ପରେ ଶୁକ୍ରବାର ପୋଲିସ ସିନ ରିକରେଶନ କରି ସେଠାରେ ଲୁଚାଇ ରଖିଥିବା ଦୁଇଟି ଖଣ୍ଡା ଓ ଗୋଟିଏ ୭ ଏମ୍‌ଏମ୍‌ ପିସ୍ତଲ, ୨ ଗୋଟି ଗୁଳି ଜବତ କରିଥିଲା। ଗତ ଜୁନ ୧୬ରେ ସୁରଜ ଦଳେଇ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ ନେଇ ତାର ବଡ଼ ବାପା ପୁଅ ବିରେନ ଦଳେଇକୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଗୁଳି ଫୁଟାଇଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ନଂ.୩୩୪/୨୨ରେ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ତେବେ ଠିକା କାମ ଓ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି।