ଗାଡ଼ିରେ ପୋଲିସ ଲେଖି ହେଉଥିଲା ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଚାଲାଣକାରୀ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସର ପୋଷାକ ପିନ୍ଧି ଏବଂ ଗାଡ଼ିରେ ପୋଲିସ ଲେଖି ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ବର୍ତ୍ତମାନ ଓରକେଲ ପୋଲିସ ଏଭଳି ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଓରକେଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ରାତିରେ ବାଲିମେଳା ଛକ- ଡାଇକ ୩ ମୁଖ୍ୟ ରାସ୍ତାର ଖଡ଼ିକାଝୁଡ଼ି ନିକଟରେ ଏସଆଇ ମିଲନ ମଜୁମଦାର ଙ୍କ ନେତୃତ୍ୱରେ ଏକ ଟିମ୍‌ ଜଗି ରହିଥିଲେ। ଏହି ସମୟରେ ଏକ ଫେକ୍‌ ନଂ (ଓ ଡି ୩୩ ବି ୩୬୭୬) ଇନୋଭା କାର୍‌ରେ ପୋଲିସ ଲେଖା ହୋଇଥିବାର ଦେଖି ଗାଡିଟିକୁ ଅଟକାଇଥିଲେ। ଗାଡିଟିର ଅସଲି ନଂ (ଡି ଏଲ ୪ ସି ଏ ଇ ୭୫୬୦) ବୋଲି ଜଣାପଡ଼ିଛି। ଗାଡ଼ିରେ ବସିଥିବା ବ୍ୟକ୍ତିମାନେ ମଧ୍ୟ ପୋଲିସ ପୋଷାକ ପିନ୍ଧି ବସି ରହିଥିଲେ। ଓରକେଲ ପୋଲିସ ସେମାନଙ୍କୁ କେଉଁ ଅଞ୍ଚଳର ପୋଲିସ ବୋଲି ପଚାରିବାରୁ ସେମାନେ ବିହାର ରାଜ୍ୟର ବୋଲି ନିଜର ପରିଚୟ ଦେଇଥିଲେ। କିନ୍ତୁ ତାଙ୍କ ଗାଡ଼ିର ନଂ ପ୍ଲେଟ୍‌ ଓଡ଼ିଶା ରାଜ୍ୟର ଲାଗିଥିଲା। ଏହାସହ ହିନ୍ଦୀ ଭାଷା କହୁଥିବାବେଳେ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନ ଥିବାରୁ ପୋଲିସ ସେମାନଙ୍କ ଗାଡ଼ି ଯାଞ୍ଚ କରିଥିଲା। ଏବଂ ଗାଡ଼ିରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଊଦ୍ଧର୍‌ବ ହେବ ବୋଲି ପୋଲିସ ସୂଚନା ଦେଇଛି।
ଗଞ୍ଜେଇ ଚାଲାଣକାରୀଙ୍କର ନାମ ହେଲା ରାଜୁ ଖରିଫା(୨୪), ରାଜୀବ କୁମାର(୨୬) ଏବଂ ଆକାଶ କୁମାର(୨୬)। ଅଭିଯୁକ୍ତମାନେ ବିହାର ରାଜ୍ୟର ପାଟଣା ଜିଲା ମଉଜିପୁର ଏବଂ ସରିସ୍ତାବାଦ ଗ୍ରାମର ଦୁହେଁ ହୋଇଥିବା ବେଳେ ଅନ୍ୟ ଜଣେ ମୁଜାଫରପୁର ଜିଲା ମୁଜାଫରନଗରର ବୋଲି ପୋଲିସ ସୂଚନା ଦେଇଛି। ତେବେ ସେମାନେ ଏହି ଗଞ୍ଜେଇକୁ ନାକାମାମୁ ଅଞ୍ଚଳରୁ ନିଜ ରାଜ୍ୟକୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସୂଚନା ଦେଇଛନ୍ତି। ନଂ ୦୬/୨୧ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।