Categories: ଅପରାଧ

ପୋଲିସ ଖୋଜୁଥିଲା ଶବ; ଜୀବନ୍ତ ମିଳିଲେ ମହିଳା

ଲକ୍ଷ୍ନୌ, ୭।୯: ଉତ୍ତର ପ୍ରଦେଶର ଫାରୁଖବାଦ୍‌ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ ଯେଉଁ ମହିଳାଙ୍କ ଶବ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲା ଶେଷରେ ସେହି ମହିଳା ଜୀବନ୍ତ ମିଳିଲେ। ଜିଲାର ବୀରପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ନାମରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଶବକୁ ନିଖୋଜ କରିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ସେହି ମହିଳାଙ୍କ ଶବ ଜବତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମହିଳାଜଣଙ୍କ ଶାହଜହାଁପୁର ଜିଲା ଆଲ୍ଲହାଗଞ୍ଜ ଥାନା ଅଞ୍ଚଳରୁ ଜୀବନ୍ତ ଭାବେ ମିଳିଛନ୍ତି।
ଅନୁସାରେ ବୀରପୁର ଗ୍ରାମର ବାସିନ୍ଦା ରବି ସିଂ ପେଶାରେ ଜଣେ ଟ୍ରକ ଡ୍ରାଇଭର। ସେପ୍ଟେମ୍ବର ୫ରେ ରବିର ଶ୍ୱଶୁର ବିନୋଦ ସିଂ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅକୁ ଯୌତୁକ ଲାଗି ହତ୍ୟା କରାଯାଇ ଶବକୁ ଗାୟବ କରିଦିଆଯାଇଛି। ଏହାପରେ ପୋଲିସ ରବି ଏବଂ ତାଙ୍କ ପରିବାର ୫ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା। ଏପରିକି ରବିଙ୍କୁ ଗିରଫ ମଧ୍ୟ କରାଯାଇଥିଲା। କିନ୍ତୁ କାହାଣୀରେ ନୂଆ ମୋଡ଼ ଆସିଥିଲା, ଯେତେବେଳେ ରବିଙ୍କ ସ୍ତ୍ରୀ ଲତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଶାହଜହାଁପୁର ଜିଲା ଆଲ୍ଲହାଗଞ୍ଜ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଲତାଙ୍କୁ ପରେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଲତା ଜୀବିତ ଅବସ୍ଥାରେ ମିଳିବା ପରେ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ପୋଲିସ ଏବେ ଏହି ପୁରା ଘଟଣା ପଛରେ ରହିଥିବା ରହସ୍ୟର ଉନ୍ମୋଚନ ପାଇଁ ତଦନ୍ତ ଚଳାଇଛି।