ପୋଲିସ ଏସ୍‌ଆଇଙ୍କ ଘରୁ ଲୁଟ୍‌: ଚୋରଙ୍କୁ ଗିରଫ ଦାବିରେ ପୋଲିସ ଗାଡ଼ି ଅଟକାଇଲେ ଗ୍ରାମବାସୀ

କେସିଙ୍ଗା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ବୋରିଆ ପଞ୍ଚାୟତ ଖଜୁରପଡ଼ା ଗାଁରେ ଏକ ଡକାୟତି ହୋଇଛି। ଜଣେ ମହିଳା ଡକାୟତ ଘରେ ପଶି ମହିଳାଙ୍କ ଗଳାରେ ଛୁରି ଲଗାଇ ରବିବାର ଦିନଦ୍ୱିପ୍ରହରେ ଲୁଟ୍‌ କରିଛନ୍ତି। ଏ ନେଇ କେସିଙ୍ଗା ଥାନାରେ ଏକ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଖଜୁରପଡ଼ା ଗାଁର ଅଶ୍ୱିନୀ ପ୍ରଧାନ ମାଲକାନଗିରିରେ ପୋଲିସ ଏସ୍‌ଆଇ କାମ କରନ୍ତି। ଅଶ୍ୱିନୀଙ୍କ ମା’ ବାପା ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ନର୍ଲା ବ୍ଲକ ମାଣ୍ଡେଲ ଗାଁକୁ ଯାଇଥିବା ବେଳେ ସ୍ତ୍ରୀ ଲୋପାମୁଦ୍ରା ଘରେ ଏକାକୀ ରହିଥିଲେ। ରବିବାର ମଧ୍ୟାହ୍ନରେ ଝିପି ଝିପି ବର୍ଷା ହେଉଥିବା ବେଳେ ଜଣେ ମହିଳା ବାଡ଼ ଡେଇଁ ଘରେ ପଶି ଲୋପାମୁଦ୍ରାଙ୍କ ଗଳାରେ ଛୁରି ଲଗାଇ ପିନ୍ଧିଥିବା ମଙ୍ଗଳସୂତ୍ର ଓ ଆଲମାରିରେ ଥିବା ରୁପା ପାଉଁଜି ଓ ନଗଦ ୧୦ ହଜାର ଧରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

ଖବର ପାଇ ଉତ୍‌କେଲା ଫାଣ୍ଡି ଅଧିକାରୀଙ୍କ ସମେତ କେସିଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଶ୍ବିନୀ ଗତବର୍ଷ ବାହା ହୋଇଛନ୍ତି ଓ ଘରେ ତାଙ୍କ ସ୍ତ୍ରୀ ଏକା ରହୁଥିବା ସୂଚନା ପାଇ ଡକାୟତି ହୋଇଥିବା ଗାଁରେ ଆଲୋଚନା ହେଉଛି। ତଦନ୍ତ ପାଇଁ ଯାଇଥିବା ପୋଲିସ ଗାଡ଼ି ଓ ସନ୍ଧାନୀ କୁକୁରକୁ ଗ୍ରାମବାସୀ ଅଟକ ରଖିଛନ୍ତି। ଚୋରଙ୍କୁ ଧରିଲେ ଗାଡ଼ି ଛାଡ଼ିବୁ ବୋଲି ଗ୍ରାମବାସୀ ଜିଦି କରି ବସିଛନ୍ତି। ଏ ନେଇ କେସିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି।