ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଧରିଲା ପୋଲିସ

ସୋରଡ଼ା,୧୬।୨: ଗଞ୍ଜାମ ଜିଲା ସୋରଡ଼ା ପୋଲିସକୁ ଗୁରୁବାର ଏକ ସଫଳତା ମିଳିଛି। ପୋଲିସ ଗୋଡ଼ାଇ ଗୋଡ଼ାଇ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଜବତ କରିଛି। ଭ୍ୟାନ୍‌ରେ ୧୪ଟି ବସ୍ତାରେ ୩୫୦ କେଜି ଗଞ୍ଜେଇ ଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଏକ ଖବରଦାତା ସମ୍ମିଳନୀରେ ଆଇଆଇସି ରମେଶ କୁମାର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୬୮/୨୦୨୩) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରୁ ଏକ ପିକ୍‌ଅପ୍‌ ଭ୍ୟାନ ଯୋଗେ ଗଞ୍ଜେଇ ସୋରଡା ଆସୁଥିବା ଆଇଆଇସିଙ୍କୁ ଖବର ମିଳିଥିଲା। ଏନେଇ ଆଇଆଇସି ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଢୌଙ୍ଗା ଗ୍ରାମ ନିକଟରେ ଜଗି ରହି ଗାଡ଼ି ଯାଞ୍ଚ କରୁଥିଲା। ସେତିକିବେଳେ ଗଞ୍ଜେଇ ଭର୍ତ୍ତି ଥିବା ବୋଲେରୋ ଗାଡିଟି ପଛକୁ ବୁଲାଇ ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ ଟିମ୍‌ ଗାଡିକୁ ପିଛା କରିଥିଲା। ପ୍ରାୟ ୧୫ କି.ମି ପରେ ଗାଡ଼ି ଡ୍ରାଇଭର ଉପାୟ ନ ପାଇ ବାଟରେ ଗାଡି ରଖି ସହଯୋଗୀଙ୍କ ସହ ଫେରାର ହୋଇଯାଇଥିଲା। ପୋଲିସ ଟିମ୍‌ ଗାଡ଼ି ଯାଞ୍ଚ କରି ଗଞ୍ଜେଇ ଜବତ କରିଥିଲା। ପରେ ପୋଲିସ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନକୁ ଆଣି ଥାନା ପରିସରରେ ରଖିଛି।