ଗଞ୍ଜାମ,୧୩।୧୦(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ମାଳିଜଗନ୍ନାଥପୁରସ୍ଥିତ ବାଲି ଲୋକନାଥ ମନ୍ଦିର ନିକଟ କାଜୁ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଏହି ଚଢ଼ାଉ ସମୟରେ ନଗଦ ୯୧ ହଜାର ୩୧୦ ଟଙ୍କା, ୭ଟି ମୋବାଇଲ ଫୋନ, ୨ଟି ମୋଟରସାଇକେଲ ଏବଂ ୩ ସେଟ ତାସ ଜବତ କରାଯାଇଛି।
ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଟିମ ସେଠାରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା।
ଏହି ଘଟଣାରେ ଗଞ୍ଜାମ ଥାନାରେ କେସ ନମ୍ବର ୨୮୬/୨୦୨୬ରେ ଓଡ଼ିଶା ଜୁଆ ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।