ଗଜପତି,୧୨।୮ (ଗିରିଧାରୀ ପରିଚ୍ଛା): ଅନେକ ସମୟରେ ଦୁର୍ଘଟଣା ଆମ ଆଖି ଆଗରେ ଘଟୁଥିଲେ ହେଁ ରାସ୍ତାରେ ଯାଉଥିବା ଅନେକେ ସେଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ହେଲେ କିଛି ସେଥିରୁ ଭିନ୍ନ କରି ଉଦାହରଣ ସାଜିଥାନ୍ତି। ସେଭଳି ଏକ ଘଟଣାକ୍ରମରେ ଦୁର୍ଘଟଣାରେ ଆହତ ଦୁଇ ଯୁବକଙ୍କୁ ରାସ୍ତାକଡରୁ ଉଦ୍ଧାର କରି ନିଜ ଗାଡିରେ ନେଇ ଚିକିତ୍ସା କରାଇଛନ୍ତି ପୋଲିସ ଅଧିକାରୀ। ଗଜପତି ପୋଲିସର ବରିଷ୍ଠ ଅଧିକାରୀ ଡିଏସପି ଠାକୁର ଦାସ ମୁର୍ମୁ ଓ ତାଙ୍କ ଡ୍ରାଇଭର ଅଶ୍ୱିନୀ କୌଣସି ଏକ କାମରେ ଯାଉଥିବା ବେଳେ ଗୋଟିଏ ବାଇକରେ ଯାଉଥିବା ଦୁଇଜଣ ଯୁବକ ରାସ୍ତା କଡରେ ଥିବା ପଥରରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାସ୍ତାକଡରେ ପଡି ଛଟପଟ ହେଉଥିବା ବେଳେ ଅଧିକାରୀ ଜଣକ ବିଳମ୍ବ ନ କରି ଆହତଙ୍କୁ ନିଜ ଗାଡିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଆହତ ଯୁବକ ଦ୍ୱୟ ଗାରାବନ୍ଧ ଅଞ୍ଚଳର ବି ଉମା ପ୍ରସାଦ ଓ ଡି ସିବା ଶଙ୍କର ବୋଲି ଜଣାପଡିଛି । ଅସମୟରେ ଆହତ ଯୁବକଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ପୋଲିସ ବାବୁ , ତେଣୁ ସେ ଧନ୍ୟବାଦର ପାତ୍ର ବୋଲି ଅନେକେ କହୁଛନ୍ତି ।


