ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲାରେ ମାଓବାଦୀ ଦମନ ପାଇଁ ସର୍ଚ୍ଚ ଅପରେଶନ ଚାଲିଥିବା ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଗରିଆବନ୍ଧ ଜିଲାର ଶୋଭା ପୋଲିସ ଷ୍ଟେଶନ ଅନ୍ତର୍ଗତ ଭୀମାଟିକରା ଜଙ୍ଗଲରେ ସିଆରପିଏଫ ଓ ସ୍ବତନ୍ତ୍ର ପୋଲିସ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ଚାଲିଥିଲା। ଏହି ସମୟରେ ଜଙ୍ଗଲରେ କ୍ୟାମ୍ପ କରି ଲୁଚି ରହିଥିବା ମାଓବାଦୀମାନେ ପୋଲିସକୁ ଦେଖି ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଫଳରେ ଦୀର୍ଘ ୩୦ ମିନିଟ୍‌ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶେଷରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କୁ ସାମ୍‌ନା କରି ନ ପାରି ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ। ଏହି ଗୁଳି ବିନିମୟରେ କେହି ମୃତାହାତ ହୋଇନାହାନ୍ତି।