ବିକାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୋଲସରା,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କଳମ୍ବ ଗ୍ରାମରେ ଶନିବାର ସାମାନ୍ୟ ବଚସାରୁ ବିକାଶ ସାହୁ ଓରଫ କାଉ(୨୮)ଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପୋଲସରା ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା (ନଂ.୧୯୨/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ କଳମ୍ବ ଗ୍ରାମର ଭାଗୀରଥି ପ୍ରଧାନ ଓରଫ ସମ୍ବାରିଆ। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି।

ସୂଚନାଯୋଗ୍ୟ, କଳମ୍ବ ଗ୍ରାମରେ ନାମଯଜ୍ଞ ଚାଲିଥିବା ସମୟରେ ବିକାଶ ଏବଂ ଭାଗୀରଥି ମଧ୍ୟରେ କଥା କଟାକଟି ହୋଇଥିଲା। ଏହି କଥା କଟାକଟି ଉଗ୍ରରୂପ ନେଇ ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିଲା।