ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇଥିବା ଖବର ମିଳିଛି। ଉଭୟଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ପ୍ରକୃତ ପରିଚୟ ମିଳିନାହିଁ।
ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥ-୫୩ରେ ଗୋରୁ ଚୋରାଚାଲାଣ ନେଇ ଧନୁପାଲି ଥାନା ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଉକ୍ତ ଖବର ଅନୁଯାଇ ଧନନପାଲି ଥାନାର ଏକ ପୋଲିସ ଦଳ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଜଗି ରହିଥିଲେ। ଏହି ସମୟରେ ପୋଲିସ ଦଳଭୋର ପ୍ରାୟ ସାଢ଼େ ୫ଟା ସମୟରେ ଗୋରୁ ବୋଝେଇ ଟ୍ରକ(ଆରଜେ-୦୯-ଜିବି-୨୭୪୬)କୁ ଦେଖି ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଟ୍ରକଟି ଅଟକି ନ ଥିବା ବେଳେ ଏହି ଟ୍ରକକୁ ଏସ୍କର୍ଟ କରୁଥିବା ଏକ କାର(ଡବ୍ଲ୍ୟୁବି-୧୪-ଏଏ-୧୨୩୨)ରୁ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଏହାର ଜବାବରେ ଆତ୍ମରକ୍ଷା ସ୍ବରୂପ ପୋଲିସ ପକ୍ଷରୁ ୍ଯଯଯ ପାଲଟା ୫ ରାଉଣ୍ଡ ଗୁଳି ଚାଳନା କରିଥିଲା। ଫଳରେ ପୋଲିସ ଗୁଳିରେ ଅଭିଯୁକ୍ତ ଦ୍ବୟ ଆହତ ହୋଇଥିଲେ। ଜଣକ ବାମ ଓ ଅନ୍ୟ ଜଣକର ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜି ଉଭୟେ ଗୁରୁତର ଆହତ ହୋଇଥିଲେ ସେମାନଙ୍କୁ ପୋଲିସ ତୁରନ୍ତ ଭିମସାରରେ ଭର୍ତ୍ତି କରିଛି। ସେମାନେ ବର୍ତ୍ତମାନ ବିପଦମୁକ୍ତ ଥିବା ପୋଲିସ କହିଛି।
ଅପରପକ୍ଷରେ ଉକ୍ତ ଟ୍ରକକୁ ଯାଞ୍ଚ କଲାପରେ ସେଥିରେ ୩୦ଟି ଗୋରୁ ଥିବା ଦେଖିବାକୁ ପାଇଥିଲା। ଟ୍ରକରୁ ଗୋରୁମାନଙ୍କୁ ଉଦ୍ଧାର କରି ପୋଲିସ ପୋତାପାଲିସ୍ଥିତ ଶ୍ରୀକୃଷ୍ଣ ଗୋଶାଳାରେ ଛାଡ଼ିଛି। ପ୍ରାଥମିକ ତଦନ୍ତରୁ ଗୋରୁ ମାନଙ୍କୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଛି।
ଘଟଣା ସ୍ଥଳରୁ ପୋଲିସ ଚାରୋଟି ଫୁଟାଗୁଳିର ଖାଲି ଖୋକା, ଉଭୟ ଅଭିଯୁକ୍ତଙ୍କ ନିକଟରୁ ୭.୬୫ ମିହିର ଦୁଇଟି ଦେଶୀ ପିସ୍ତଲ, ଏକ କଳା ରଙ୍ଗର ହୁଣ୍ଡାଇ ଆଲକାଜାର କାର ଓ ଗୋରୁ ଚୋରାଚାଲାଣ ହେଉଥିବା ଟ୍ରକକୁ ପୋଲିସ ଜବତ କରିଛି। ଏନେଇ ଧନୁପାଲି ଥାନାରେ ଏକ ମାମଲା ରୁଜୁକରି ଘଟଣାର ପୋଲିସ ତଦନ୍ତ କରୁଛି ।


