ବନ୍ଧୁକ ସହ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କୋଦଳା,୨୮ା୭(ଅମିତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା ଥାନା ଅଧୀନ କଞ୍ଚଣା ଗ୍ରାମର ଅର୍ଜୁନ ପଲିଟ୍ରି କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ଦାଦାବଟି ମାଗିବା ଏବଂ ବୋମାମାଡ଼ କରିବା ଅଭିଯୋଗରେ କୋଦଳା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଗୁନିଆପଡା ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମର ଟୁନା ଗୌଡ଼ ଏବଂ ପିଣ୍ଟୁ ଓରଫ ଶଙ୍କର୍ଷଣ ସାହୁଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଅଭିଯୁକ୍ତଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ, ୬ଟି ଜୀବନ୍ତ ଗୁଳି, ଗୋଟିଏ ବାଇକ୍‌ ଏବଂ ଦୁଇଟି ମୋବାଇଲ ଜବତ କରିଛି। ପୂର୍ବରୁ ଗତ ୧୭ତାରିଖରେ ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ମୁନା ଗୌଡ଼ଙ୍କୁ ପୋଲିସ ଗିରଫ କରିଥିଲା।

ସୂଚନା ଯୋଗ୍ୟ, ଗତ ଏପ୍ରିଲ ୧୯ତାରିଖରେ ଅଭିଯୁକ୍ତମାନେ କୁକୁଡ଼ା ଫାର୍ମ ମାଲିକ ଦୁତିକୃଷ୍ଣ ସାହୁଙ୍କୁ ଫୋନ ଯୋଗେ ବଟି ମାଗିଥିଲେ। ସେ ଟଙ୍କା ନ ଦେବାରୁ ଅଭିଯୁକ୍ତମାନେ ଫାର୍ମ ଉପରେ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ଏନେଇ ଫାର୍ମ ମାଲିକ ଦୁତିକୃଷ୍ଣ କୋଦଳା ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା(ନଂ.୧୭୩/୨୩) ରୁଜୁ କରିଥିଲେ। କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ।