ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ । ଜିଆରପି ପୋଲିସ ସେମାନଙ୍କ ଠାରୁ ୧୨କିଲୋ ୫୦୦ ଗ୍ରାମ ଗଞ୍ଜେଇ ସହ ନଗଦ ୨ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଟାଟାନଗର ଟ୍ରେନରେ ବିହାରକୁ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ଦୁଇ ମହିଳା ଓ ପୁରୁଷ ବଲାଙ୍ଗୀର ରେଳ ଷ୍ଟେଶନରେ ଥିବା ସମ୍ପର୍କରେ ରେଳବାଇ ପୋଲିସକୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଥିଲା। ଦୁଇ ମହିଳା ଓ ପୁରୁଷଙ୍କ ବ୍ୟାଗ ଯାଞ୍ଚ କରିଥିଲା ପୋଲିସ। ବ୍ୟାଗରେ ଗଞ୍ଜେଇ ଥିବା ଦେଖିବାକୁ ପାଇ ପୋଲିସ ଉଭୟ ମହିଳା ଓ ପୁରୁଷଙ୍କୁ ଗିରଫ କରିଥିବା ରେଳବାଇ ଥାନା ପୋଲିସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟେଲ କହିଛନ୍ତି। ଗିରଫ ଦୁଇଜଣ ହେଲେ, ବିହାରର ରୂପେଶ ପଟେଲ ( ୩୫) ଓ ୟୁପିର କଲବତୀ ଦେବୀ (୪୦) । ବୌଦ୍ଧ ଜିଲାରୁ ବଲାଙ୍ଗୀର ବାଟ ଦେଇ ବିହାର ଓ ୟୁପିକୁ ଗଞ୍ଜେଇ ଚୋରାଚାଲାଣ ରାକେଟ ସକ୍ରିୟ ରହିଥିବା ଚର୍ଚ୍ଚାର ବିଷୟ ହୋଇଛି।

