Categories: ବାଣିଜ୍ୟ

ଡିସେମ୍ବର ୧୧ରେ ‘ପୋଲିସ ବାବୁ’

ଭୁବନେଶ୍ୱର,୯।୧୨:ଜୀ-ସାର୍ଥକ ଫିଲ୍ମସର ନୂଆ ଚଳଚ୍ଚିତ୍ର ‘ପୋଲିସ ବାବୁ’ ଆସନ୍ତା ରବିବାର (ଡିସେମ୍ବର ୧୧) ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସ୍ଥାନୀୟ ୟୁନିଟ୍‌-୮ର ଏକ ହୋଟେଲ ପରିସରରେ ଏହାର ଅଡିଓ ରିଲିଜ୍‌ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚଳଚ୍ଚିତ୍ରରେ ଥିବା ୩ଟି ଯାକ ଗୀତ ଶ୍ରୋତାଙ୍କ ମନକୁ ଛୁଇଁବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଅଜୟ ରାଉତଙ୍କ ପ୍ରଯୋଜନା ଓ ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଉକ୍ତ ଚଳଚ୍ଚିତ୍ରର କାହାଣୀକୁ ସୁନ୍ଦର ଭାବେ ଡ. ରଜନୀ ରଞ୍ଜନ ଲେଖିଛନ୍ତି। ଉକ୍ତ ଚଳଚ୍ଚିତ୍ରରେ ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଥିବାବେଳେ ଗୁଡ୍‌ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏପରିକି ଲିପ୍ସା, କୁଲଦୀପ, ଜ୍ୟୋତିର୍ମୟୀ ଓ ଶଶାଙ୍କ ଉକ୍ତ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ସେହିପରି ଚୁଲ୍‌ବୁଲି ନାୟିକା ସାୟଲ ଓ ହ୍ୟାଣ୍ଡସମ୍‌ ନାୟକ ଶୁଭାଶିଷ ଓରଫ ମଣ୍ଟୁ ଉକ୍ତ ସିନେମାରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଜୀ-ସାର୍ଥକର ଅନେକ ସଫଳ ଚଳଚ୍ଚିତ୍ର ପରି ଉକ୍ତ ଚଳଚ୍ଚିତ୍ରଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ବୋଲି ଜୀ-ସାର୍ଥକର ଚ୍ୟାନେଲ ହେଡ୍‌ ପ୍ରତୀକ ସିଲ୍‌ ମତପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୧ ଡିସେମ୍ବର ସା ୬:୩୦ ଘଟିକାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ ବାବୁ’ ରିଲିଜ ହେବାକୁ ଯାଉଛି।

Share