ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଦ୍ବୟ ଆନନ୍ଦପୁର ବିରିଡିହାର ରମେଶଜେନାଙ୍କ ପୁଅ ଶ୍ରୀତମ (୩୧ ବର୍ଷ) ଏବଂ ଭଦ୍ରକର ଗୋକୁଳ ଦାସଙ୍କ ପୁଅ ଅକ୍ଷୟ (୪୮) । ଅଭିଯୋଗ ଅନୁଯାୟୀ, ସେମାନେ ଆନନ୍ଦପୁର ଅଞ୍ଚଳର ଅନେକ ଆଦିବାସୀ କିଶୋର-କିଶୋରୀ ଏବଂ ଦୁଇ ଜଣ ନାବାଳକଙ୍କୁ ମାସିକ ୩୦ ହଜାର ଟଙ୍କା ବେତନର ପ୍ରତିଶ୍ରୁତି ଦେଇ ତାମିଲନାଡୁକୁ ନେଇଥିଲେ। ସେଠାରେ ସେମାନଙ୍କୁ ସୁସ୍ଥ ପରିବେଶ କିମ୍ବା ଉପଯୁକ୍ତ ସୁବିଧା ମିଳିନଥିଲା। ପ୍ରତିଶ୍ରୁତି ବେତନ ପରିବର୍ତ୍ତେ ମାତ୍ର ୩ ହଜାରରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କୁ ମାନସିକ ଓ ଶାରୀରିକ ଭାବେ ହଇରାଣ, ବନ୍ଦୀ ଏବଂ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାସହ ରାଇପାଳ ଗ୍ରାମର ଜଣେ ଆଦିବାସୀ ଯୁବତୀ କୁନି ହୋଙ୍କୁ ତାଙ୍କ ଅଜାଣତରେ ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତ କରାଯାଇଥିବା ଫଳରେ ସେ ନୟାଗଡ଼ ଜେଲରେ ରହିଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଓଡ଼ିଶା ବିଏଚଆରସି(ଭାରତ ହ୍ୟୁମାନ ରାଇଟ କାଉନସିଲ)ର ରାଜ୍ୟ କୋଅର୍ଡିନେଟର ହେବଲ ନାୟକ ଏ ନେଇ ଅଭିଯୋଗ କରିବା ପରେ ଗତ ୧ ଜୁନ ୨୦୨୬ ରେ ଆନନ୍ଦପୁର ଥାନାରେ ୧୬୩ ନଂ ଏକ ମାମଲା ପଞ୍ଜିକରଣ ହୋଇଥିଲା l ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ଭଦ୍ରକ ଏବଂ ଫୁଲବାଣୀରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏସଡିପିଓ ପଣ୍ଡା କହିଛନ୍ତି ଯେ ତାମିଲନାଡୁ ପୋଲିସ ସହାୟତାରେ ସେଠାରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି ।

 

Odisha’s No.1 Odia Daily

Share