Categories: କୋରାପୁଟ

ଅପମୃତ୍ୟୁ ମାମଲାର ତଦନ୍ତ ପରେ ହତ୍ୟା ମାମଲା ରୁଜୁ କଲା ପୋଲିସ୍‌

ବୈପାରିଗୁଡା,୨୩ା୬ (ଡି.ଏନ୍‌.ଏ.): ୨ ବର୍ଷ ତଳର ଏକ ଅପମୃତ୍ୟୁ ମାମଲାର ତଦନ୍ତ ପରେ ବୈପାରିଗୁଡା ପୋଲିସ ଏହାକୁ ହତ୍ୟା ମାମଲାରେ ପରିଣତ କରି ଏକ ହତ୍ୟା ମାମଲା ରୁଜୁ କରିଛି ା ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ତାଙ୍କ ନାମ ଚନ୍ଦ୍ର ଖୋସଲା। ପ୍ରକାଶ ଯେ, ୨୦୨୦ରେ ମାଝିଗୁଡା ପଞ୍ଚାୟତ ଜାମଯୋଡି ନାଳ ନିକଟରେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହାର କିଛି ଦିନ ପରେ ଉତ୍ତର ପ୍ରଦେଶର କେତେକ ଲୋକ ଏଠାକୁ ଆସି ସମ୍ପୃକ୍ତ ମୃତକଙ୍କୁ ଚିହ୍ନଟ କରିବା ସହ ସେମାନେ ତାଙ୍କର ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ପୋଲିସ୍‌ ପକ୍ଷରୁ ମୃତକଙ୍କ ଡିଏନ୍‌ଏ ପରୀକ୍ଷା ପରେ ମୃତକଙ୍କ ପରିଚୟ ମିଳିଥିଲା। ସେ ଥିଲେ ଉତ୍ତରପ୍ରଦେଶ ଉନାଓ ଜିଲା ବାସିନ୍ଦା ଶିବ ପ୍ରକାଶ ା ମାମଲାର ତଦନ୍ତ ପରେ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିବା ପରେ ଏଥିରେ ସମ୍ପୃକ୍ତ ମାଝିଗୁଡା ପଞ୍ଚାୟତ ଭାଟିଗୁଡା ଗ୍ରାମର ଚନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ତଥା ଡିଏସ୍‌ପି ବିରଞ୍ଚି ନାରାୟଣ ଜଗତ କହିଛନ୍ତି। ମୃତକ ଶିବ ପ୍ରକାଶ ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତ ଥିବା ଏବଂ ଏହି କାରବାର ପାଇଁ ସେ ଏଠାକୁ ଆସୁଥିଲେ। କୌଣସି କାରଣକୁ ନେଇ ଚନ୍ଦ୍ରଙ୍କ ସହ ତାଙ୍କର ଝଗଡା ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଗତ ପ୍ରକାଶ କରିଛନ୍ତି।