Categories: ଫୁରସତ

ବିଷାକ୍ତ ଚଢେଇ ହୁଡେଡ ପିତୋହୋଇ

ପପୁଆ ନୁଉଗିନିରେ ଦେଖିବାକୁ ମିଳନ୍ତି କଳା ଓ ବାଦାମୀ ରଙ୍ଗର ଏକ ସୁନ୍ଦର ଛୋଟିଆ ଚଢେଇ, ଯାହାର ନାଁ ହୁଡେଡ ପିତୋହୋଇ। ଦେଖିବାକୁ ସୁନ୍ଦର ହେଲେ ବି ଏହା ପୃଥିବୀର ପ୍ରଥମ ଏବଂ ଏକମାତ୍ର ବିଷାକ୍ତ ଚଢେଇଭାବେ ପରିଚିତ। ପପୁଆ ନିଉଗିନିର ଲୋକେ ବହୁ ପୂର୍ବରୁ ଜାଣନ୍ତି ଏହା ଏକ ବିଷାକ୍ତ ଚଢେଇ ବୋଲି। କିନ୍ତୁ ପାଶ୍ଚାତ୍ୟ ଦେଶର ଲୋକେ ଏହା ବହୁ ପରେ ଜାଣିଲେ। ୧୯୯୦ରେ ଅର୍ନିଥୋଲୋଜିଷ୍ଟ ଜ୍ୟାକ୍‌ ଡମ୍ବାଚର୍‌ ଏହି ଚଢେଇ ଦେଖିବାକୁ ଆସିଥାନ୍ତି। ଆଉ ସେହି ଚଢେଇ ଧରିବା ପାଇଁ ଜାଲ ବିଛାଇଥାନ୍ତି। ଜାଲରେ ପଡିବାପରେ ସେ ଯେତେବେଳେ ଚଢେଇକୁ ଧରିବା ପାଇଁ ଗଲେ ଚଢେଇଟି ତାଙ୍କୁ ଥଣ୍ଟରେ ଖୁମ୍ପି ଦେଇଥିଲା। ଆଉ ସେ ସଙ୍ଗେ ସଙ୍ଗେ ନିଜ ଆଙ୍ଗୁଳିକୁ ପାଟି ଭିତରକୁ ନେଇଯାଇ ଥିଲେ। ଫଳରେ ତାଙ୍କ ଓଠ ଓ ଜିଭ ବଧିର ହୋଇଯିବା ସହ ଖୁବ୍‌ ଜଳାପୋଡା ଅନୁଭବ କଲେ। କିଛି ଘଣ୍ଟାପରେ ଜ୍ୱାଳା କମିବାପରେ ସେ ଚିନ୍ତା କଲେ ଏଭଳି କାହଁିକି ହେଲା। ଆଉ ସେ ଉକ୍ତ ଚଢେଇର ଏକ ପର ଆଣି ପାଟିରେ ଲଗାଇଲେ। ଏହାପରେ ପୁଣିଥର ସେହି ଯନ୍ତ୍ରଣା ଅନୁଭବ କଲେ। ଏମିତିଭାବେ ସେ ପୃଥିବୀର ପ୍ରଥମ ଓ ଏକମାତ୍ର ବିଷାକ୍ତ ଚଢେଇ ସମ୍ପର୍କରେ ଜାଣିଥିଲେ। ଆଉ ସେ ଏ ସମ୍ପର୍କରେ ଅନ୍ୟ ସମସ୍ତଙ୍କୁ ଜଣାଇଥିଲେ। ଏହି ଚଢେଇକୁ ପରେ ପରୀକ୍ଷା କରିବାରୁ ଜଣାପଡିଲା ଯେ ଚଢେଇଟିର ପର, ଚର୍ମ, ଅନ୍ତଃଅଙ୍ଗ, ହାଡରେ ବିଷାକ୍ତ ପଦାର୍ଥ ରହିଛି। ତେବେ କିଛି ବୈଜ୍ଞାନିକ କହନ୍ତି, ‘ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥ ତା’ ଶରୀର ମଧ୍ୟରେ ସୃଷ୍ଟି ହୋଇ ନ ଥାଏ। ବରଂ ସେ ଏକପ୍ରକାରର ବିଷାକ୍ତ ପୋକ ଖାଇଥାଏ। ଫଳରେ ତା’ ଶରୀରରେ ବିଷାକ୍ତ ପଦାର୍ଥ ତିଆରି ହୋଇଥାଏ’।

Share