ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ମୋଦି ତାଙ୍କ ପତ୍ନୀ ଓ ମାତାପିତାଙ୍କ ସହ ଫୋନ୍ରେ କଥା ହୋଇ ସ୍ମିତଙ୍କ ସାହସିକତା ପାଇଁ ପ୍ରଶଂସା କରିଥିବା ନେଇ ରିପୋର୍ଟରେ କୁହାଯାଇଛି ।
ମୋଦି ପୂର୍ବରୁ ମଧ୍ୟ ସୋସିଆଲ୍ ମିଡିଆ ପୋଷ୍ଟରେ କ୍ୟାପ୍ଟେନ୍ ସ୍ମିତଙ୍କୁ ‘ହିରୋ’ ବୋଲି କହିଥିଲେ । ବିପଦ ଓ ଆହତ ଅବସ୍ଥାରେ ମଧ୍ୟ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ସେ ସାହସ ଓ ଦୃଢ଼ତା ଦେଖାଇଥିବା ମୋଦି କହିଥିଲେ । ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇର FZ1073 ବିମାନ ଦୁବାଇରୁ ତେଲ ଅଭିଭ ଯାଉଥିବା ବେଳେ କକ୍ପିଟ୍ରେ ଦୁଇ ପାଇଲଟ୍ଙ୍କ ମଧ୍ୟରେ ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, କୋ-ପାଇଲଟ୍ କ୍ୟାପ୍ଟେନ୍ ସ୍ମିତଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏହା ପରେ ବିମାନଟି ପ୍ରାୟ ୧୪,୦୦୦ ଫୁଟ୍ ତଳକୁ ଦ୍ରୁତ ଗତିରେ ଖସିଥିଲା। ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କ ହସ୍ତକ୍ଷେପରେ ଆକ୍ରମଣକାରୀଙ୍କୁ କାବୁ କରାଯାଇଥିଲା ଏବଂ ବିମାନକୁ ସାଉଦି ଆରବର ତବୁକ୍ରେ ଜରୁରୀ ଅବତରଣ କରାଯାଇଥିଲା।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଧ୍ୟ କ୍ୟାପ୍ଟେନ୍ ସ୍ମିତଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ କହିବା ଅନୁସାରେ, ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ ପ୍ରତିରୋଧ କରି କକ୍ପିଟ୍ର ଦ୍ୱାର ଖୋଲିଥିଲେ। ଏହା ଫଳରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ କକ୍ପିଟ୍ରେ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ନେତନ୍ୟାହୁଙ୍କ ଅନୁସାରେ, ଏହି ଘଟଣାରେ ୧୭୪ ଜଣଙ୍କ ଜୀବନ ବଞ୍ଚିଥିଲା।
ମୋଦି ଏହା ମଧ୍ୟ କହିଛନ୍ତି ଯେ, ସ୍ମିତଙ୍କ ପରିବାରକୁ ସମସ୍ତ ସମ୍ଭବ ସହାୟତା ଯୋଗାଇବା ପାଇଁ ଭାରତୀୟ ମିଶନ୍ଗୁଡ଼ିକ ପ୍ରୟାସ କରୁଛନ୍ତି । ବର୍ତ୍ତମାନ ସ୍ମିତ ସାଉଦି ଆରବର ତବୁକ୍ରେ ଚିକିତ୍ସାଧୀନ ଥିବା ଏବଂ ତାଙ୍କ ସ୍ଥିତି ସ୍ଥିର ଥିବା ରିପୋର୍ଟ ହୋଇଛି ।