କଅଁଳ ହାତରେ ହଳଲଙ୍ଗଳ

କେନ୍ଦୁଝର, ୧୯।୭(ସ୍ବ.ପ୍ର.): ବଳଦ ଓ ଲଙ୍ଗଳ ଦ୍ୱାରା ବିଲରେ ହଳ କରିବା ପିଲା ଖେଳ ନୁହେଁ ବୋଲି ସମସ୍ତେ କୁହନ୍ତି। ବଡ଼ ବଡ଼ ଲୋକମାନେ ମଧ୍ୟ ଲଙ୍ଗଳ ଧରି ଚାଷ କରିପାରନ୍ତି ନାହିଁ। କିନ୍ତୁ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମର ନବ କିଶୋର ନାୟକଙ୍କ ଦୁଇ ନାବାଳକ ପୁଅ ସୌମ୍ୟରଞ୍ଜନ ଓ ଶ୍ରୀନିବାସ ହଳ କରିବା ଆଦୌ କଷ୍ଟକର ନୁହେଁ ବୋଲି ପ୍ରମାଣ କରିଛନ୍ତି। ଦୁହେଁ ବିଲରେ ହଳ କରି ବାପାଙ୍କୁ ସହାୟତା କରୁଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଗାଁ ସ୍କୁଲରେ ସୌମ୍ୟରଞ୍ଜନ ୫ମ ଓ ସାନଭାଇ ଶ୍ରୀନିବାସ ୩ୟ ଶ୍ରେଣୀରେ ପଢ଼ନ୍ତି। କରୋନା ମହାମାରୀ ପାଇଁ ସ୍କୁଲରେ ପାଠପଢ଼ା ବନ୍ଦ ରହିଛି ା ବାପା ଜଣେ ଚାଷୀ। ଚାଷ କରି ଘର ଚଳାନ୍ତି ା ଏଣୁ ସ୍ମାର୍ଟଫୋନ୍‌ କିଣି ପାରୁ ନ ଥିବାରୁ ଦୁଇପୁଅ ଅନ୍‌ଲାଇନରେ ପାଠ ପଢିପାରୁ ନାହାନ୍ତି। ସେହିପରି ଟ୍ରାକ୍ଟରରେ ଚାଷ କରିବା ପାଇଁ ସମ୍ବଳ ନାହିଁ। ଏଣୁ ପାରମ୍ପରିକ ହଳ ଓ ଲଙ୍ଗଳରେ ଚାଷ କରି ଆସୁଛୁ ବୋଲି ସେ କୁହନ୍ତି ା
ସୌମ୍ୟରଞ୍ଜନ ଓ ଶ୍ରୀନିବାସ ବାପାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରି ବିଲରେ ଯେଉଁଭଳି ଭାବେ ବଳଦ ଓ ଲଙ୍ଗଳ ଧରି ହଳ କରୁଛନ୍ତି ତାହା ଦେଖଣାହାରିଙ୍କୁ ଚକିତ କରୁଛି। ଏହି ଦୁଇ ପିଲାଙ୍କ ଚାଷ ପ୍ରତି ଆଗ୍ରହ ଏବଂ ହଳ କରିବା କୌଶଳ ଅନେକଙ୍କୁ ବିସ୍ମିତ କରିଛି। ଆଜିକାର ପାଠପଢ଼ା ମହଙ୍ଗା ହୋଇଗଲାଣି। କାରଣ ଏଥିପାଇଁ ସ୍ମାର୍ଟଫୋନ୍‌ ଦରକାର। ଆମେ ଗରିବ ଲୋକ। ଏଣୁ କେଉଁଠୁ ସେମାନଙ୍କ ପାଇଁ ସ୍ମାର୍ଟଫୋନ୍‌ ଆଣିବି ବୋଲି ନବକିଶୋର କୁହନ୍ତି। ପାଠ ସମୟରେ ଘରେ ପଢୁଛୁ ା ଅନ୍ୟ ସମୟରେ ବାପାଙ୍କ ସହ ବିଲକୁ ଯାଇ ଚାଷ ଦେଖୁଛୁ। ଦେଖି ଦେଖି ଚାଷ କରିବା ଶିଖି ଗଲୁଣି। ଏଣୁ ହଳ ଧରି ଚାଷ କରୁଛୁ ବୋଲି ସୌମ୍ୟରଞ୍ଜନ ଓ ଶ୍ରୀନିବାସ କହିଛନ୍ତି। ସ୍କୁଲ ବନ୍ଦ ଅଛି, ଘରେ ବସି କ’ଣ କରିବୁ ସେଥିପାଇଁ ବାପାଙ୍କୁ ଚାଷ କାମରେ ସାହଯ୍ୟ କରୁଛୁ। ଏହି ଦୁଇଭାଇଙ୍କ ପାଠପଢ଼ାକୁ ପ୍ରଶାସନ ଗୁରୁତ୍ୱ ଦେଇ ସହାୟତା କରିବା ଉଚିତ ବୋଲି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭରତ ଚନ୍ଦ୍ର ପାତ୍ର କହିଛନ୍ତି।