ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ…

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ଶନିବାର ମଧ୍ୟାହ୍ନରେ ୩ ମହଲା ଛାତରୁ ପ୍ଲାଷ୍ଟର ଖସିିଛି। ଏହି ବିଲ୍ଡିଂର ୩ ମହଲାରେ ପ୍ରସୂତି ବିଭାଗର ବାରଣ୍ଡାରେ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟାହ୍ନରେ ଖାଇବା ସମୟରେ ଛାତରୁ ବଡ଼ ବଡ଼ ପ୍ଲାଷ୍ଟର ଖଣ୍ଡ ଖସିଥିଲା। ଏହି ଦୁର୍ଘଟଣାରେ ଖାଉଥିବା ୭ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସମ୍ପର୍କୀୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଘଟଣାକୁ ନେଇ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ସାଧାରଣରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରାୟ ଦୁଇ ବର୍ଷ ଧରି ଏହି ଅତ୍ୟାଧୁନିକ ବିଲ୍ଡିଂରୁ ନିୟମିତ ବ୍ୟବଧାନରେ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସୁଥିବାର ନଜିର ରହିଆସିଛି। ଏଭଳି ପରିସ୍ଥିତିରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସବୁ ସମୟରେ ବିପଦ ଦେଖାଦେଇଛି। କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ବିଲ୍ଡିଂ ରେ ଦେଖାଦେଇଥିବା ସମସ୍ୟା ଦିଗରେ କର୍ତ୍ତୃପକ୍ଷ ନୀରବ ରହିବା ପରିତାପର ବିଷୟ ସାଜିଛି। କେତେବେଳେ ଏଠାରେ ଲିଫ୍ଟ କାମ କରୁନାହିଁ ତ କେତେବେଳେ ଏଠାରେ ଅଳିଆ ଆବର୍ଜନାମୟ ପରିବେଶ ସୃଷ୍ଟି ହେଉଛି। ପ୍ରାୟ ସମୟରେ କିଛି ନା କିଛି ଘଟଣାକ୍ରମକୁ ନେଇ ସମ୍ପୃକ୍ତ ବିଲ୍ଡିଂ ଚର୍ଚ୍ଚାରେ ରହିଆସୁଛି। ରୋଗୀ ସେବା କ୍ଷେତ୍ରରେ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ରୋଗ ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ଅବ୍ୟବସ୍ଥାକୁ ତୃଣମୂଳ ସ୍ତରର ଅଧିକାରୀମାନଙ୍କୁ ସାଧାରଣରେ ଦାୟୀ କରାଯାଇଛି। ସମ୍ପୃକ୍ତ ବିଲ୍ଡିଂ ନିର୍ମାଣ ଦାୟିତ୍ୱ ନିର୍ବାହ କରିଥିବା ବିଭାଗକୁ ସିଧାସଳଖ ଦାୟୀ କରାଯାଇଛି।