ଏହି ରାଜ୍ୟରେ ଶୁଭାରମ୍ଭ ହେଲା ପ୍ଲାଜମା ଆପ୍‌

ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ପାଇଁ ଦିଲ୍ଲୀ ଏମ୍ସ ଡାକ୍ତର ଓ ଆଇଆଇଟି ଇଞ୍ଜିନିୟର ମିଳିତ ଭାବେ ଏକ ପ୍ଲାଜମା ଆପ୍‌ ତିଆରି କରିଛନ୍ତି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ମୋବାଇଲ୍‌ ଆପ୍‌କୁ ତିଆରି କରାଯାଇଛି। ଯାହାର ନାମ କୋପଲ-୧୯ ରଖାଯାଇଥିବା ଜଣାପଡ଼ିଛ। ବୁଧବାର ଜାତୀୟ ଡାକ୍ତର ଦିବସ ଅବସରରେ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍‌ ଜରିଆରେ ପ୍ଲାଜମା ଦେଉଥିବା ଓ ଆବଶ୍ୟକ ଥିବା ବ୍ୟକ୍ତି ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପରେ ଏହି ଆପ୍‌ ସାହାଯ୍ୟରେ ଆବଶ୍ୟକ ଥିବା ବ୍ୟକ୍ତିଙ୍କ ନିକଟକୁ ପ୍ଲାଜମା ପଠାଇବା ଦାୟିତ୍ୱ ହେଉଛି ଡାକ୍ତରଙ୍କର। ସୂଚନା ମୁତାବକ ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗର ଡକ୍ଟର ଅଭିନଭ ସିଂ ବର୍ମା ଓ ତାଙ୍କ ଭାଇ ତୁଷାର ଚୌଧୁରୀଙ୍କ ମିଳିତ ଉଦ୍ୟମରେ ଏହି ଆପ୍‌ ଡିଜାଇନ କରିଛନ୍ତି। ଡାକ୍ତର ଅଭିନଭଙ୍କ ଭାଇ ତୁଷାର ଜଣେ ଆଇଆଇଟିର ଛାତ୍ର। ଗତ କିଛିଦିନରୁ ସେ ଦିଲ୍ଲୀ ସରକାରଙ୍କ ପାଇଁ ଏହି ଆପ ତିଆରି କରିଛନ୍ତି ବୋଲି ଅଭିନଭ କହିଛନ୍ତି। ତେବେ କୋପଲ-୧୯ ଆପ୍‌କୁ ଆଣ୍ଡ୍ରଏଡ୍‌ କିମ୍ବା ଆଇଓଏସ୍‌ରୁ ଡାଉନଲୋଡ କରାଯାଇପାରିବ। ଏଥିସହ ଡାଟା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଥିରେ ଓଟିପିକୁ ସାମିଲ କରାଯାଇଛି। ଯାହାଦ୍ୱାରା ଦସ୍ତାବିଜଗୁଡ଼ିକର କୌଣସି ଅପବ୍ୟବହାର ନ ହୁଏ ବୋଲି ଅଭିନଭ କହିଛନ୍ତି।

Share