ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ ୨ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି ଆରସିବି।
ଟିମ୍ ଡେଭିଡ, ଦେବଦତ୍ତ ପଡିକଲ, ଅଧିନାୟକ ରଜତ ପଟିଦାର ଓ ଫିଲିପ୍ ସଲ୍ଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆର୍ସିବି ୨୦ ଓଭରରେ ୩ ଉଇକେଟ ହରାଇ ୨୫୦ ରନ କରିଥିଲା। ଯାହାକି ଚଳିତ ସିଜନରେ ସର୍ୱାଧିକ ଦଳଗତ ସ୍କୋର ଥିଲା। ଜବାବରେ ଚେନ୍ନାଇ ୧୯.୪ ଓଭରରେ ୨୦୭ ରନ କରି ଅଲ୍ଆଉଟ ହୋଇ ଯାଇଥିଲା।
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ଆରସିବି ପକ୍ଷରୁ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି ଓ ଫିଲ୍ ସଲ୍ଟ। ତେବେ ଓପନିଂ ଯୋଡ଼ିରେ ୩୭ ରନ ଯୋଗ ହେବାପରେ ବିରାଟ କୋହଲି ଆଉଟ ହେବାରୁ ଷ୍ଟାଡିୟମରେ ନୀରବତା ଛାଇ ଯାଇଥିଲା। ୧୮ଟି ବଲ୍ର ସମ୍ମୁଖୀନ ହୋଇଥିବା ବିରାଟ ୨ ଚୌକା ଓ ୧ ଛକା ସହାୟତାରେ ୨୮ ରନ କରିଥିଲେ।
ତେବେ ଫିଲ୍ ସଲ୍ଟ ଓ ଦେବଦତ୍ତ ପଡିକଲ ଦ୍ୱିତୀୟ ଉଇକେଟରେ ୫୬ ରନ ଯୋଡ଼ି ଇନିଂସ ସମ୍ଭାଳି ନେଇଥିଲେ। ସଲ୍ଟ ୪୬ (୩ ଚୌକା, ୨ ଛକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମାତ୍ର ପଡିକଲଙ୍କ ସହିତ ଅଧିନାୟକ ରଜତ ପଟିଦାର ଯୋଗଦେବାରେ ରନ ହାର ଦ୍ରୁତ ହାରରେ ବଢ଼ିଥିଲା। ଦୁହେଁ ମାତ୍ର ୨୧ ବଲ୍ରୁ ୫୮ ରନର ଭାଗୀଦାରି ଗଢ଼ିଥିଲେ। ଇତିମଧ୍ୟରେ ପଡିକଲ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ତେବେ ପଡିକଲ ଠିକ୍ ୫୦ (୨୯ ବଲ, ୫ ଚୌକା, ୨ ଛକା) ରନ କରିଥିବାବେଳେ ଜେମି ଓଭର୍ଟନଙ୍କ ବଲ୍ରେ ସ୍କୁପ ଶଟ୍ ଖେଳିବାକୁ ଯାଇ ବୋଲ୍ଡ ହୋଇଯାଇଥିଲେ।
ପଡିକଲଙ୍କ ବିଦାୟପରେ ପଟିଦାର ଓ ଟିମ୍ ଡେଭିଡ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ଦୁହେଁ ଛକା ଓ ଚୌକା ବର୍ଷା କରି ଚେନ୍ନାଇ ବୋଲରଙ୍କୁ ଚକିତ କରିଥିଲେ। ଅସମାପ୍ତ ୪ର୍ଥ ଉଇକେଟରେ ଦୁହେଁ ମାତ୍ର ୩୬ ବଲ୍ରୁ ୯୯ ରନ ସଂଗ୍ରହ କରିବାରୁ ଆର୍ସିବି ସ୍କୋର ୨୫୦ ସ୍ପର୍ଶ କରିଥିଲା। ପଟିଦାର ୧୯ ବଲ୍ରୁ ୪୮ (୧ ଚୌକା, ୬ ଛକା) ଓ ଡେଭିଡ ୨୫ ବଲ୍ରୁ ୭୦ (୩ ଚୌକା, ୮ ଛକା) ରନରେ ଅପରାଜିତ ରହିଥିଲେ। ଚେନ୍ନାଇ ପକ୍ଷରୁ ଅଂଶୁଲ କମ୍ୱୋଜ, ଜେମି ଓଭର୍ଟନ ଓ ଶିବମ୍ ଦୁବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବଡ଼ ସ୍କୋରର ପିଛା କରିଥିବା ଚେନ୍ନାଇ ମାତ୍ର ୩୦ ରନରେ ୩ଟି ଉଇକେଟ ହରାଇ ବ୍ୟାକ୍ଫୁଟକୁ ଚାଲି ଯାଇଥିଲା। ମିଡିଲ ଅର୍ଡରରେ ସର୍ଫରାଜ ଖାଁ (୨୫ ବଲ୍ରୁ ୫୦) ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷଭାଗରେ ପ୍ରଶାନ୍ତ ବୀର ଓ ଜେମି ଓଭର୍ଟନ ୩୨ ବଲ୍ରୁ ୫୭ ରନର ପାର୍ଟନରଶିପ୍ ଗଢ଼ିଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ା

