ପାଇପ୍‌ ଫାଟି ରାସ୍ତାରେ ପାଣି ଜମୁଛି

ନାଉଗାଁ,୧୩ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଠଦା ଗ୍ରାମରେ ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ପାଣି ପାଇପ୍‌ ଫାଟିଯାଇଛି। ଫଳରେ ରାସ୍ତାରେ ପାଣି ଜମିବା ସହ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଦୀର୍ଘ ଦିନ ହେବ ପାଣି ଜମିବା ଫଳରେ ଗାଁ ପରିବେଶ ନଷ୍ଟ ହେଉଛି। ପାଣି ଜମି ରହୁଥିବା ସ୍ଥାନରୁ ଦୁର୍ଗନ୍ଧ ବାହାରୁଛି। ଏହା ନିକଟରେ ଗୋଠଦା ମହାଦେବ ମନ୍ଦିର ଥିବା ବେଳେ ୨ ପାର୍ଶ୍ୱରେ ବାସଗୃହ ରହିଛି। ସେଠାରେ ବସବାସ କରୁଥିବା ଲୋକେ ପୂତ୍ତିଗନ୍ଧମୟ ପରିବେଶ ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ୨ ବିଭାଗର ଅଧିକାରୀ ପରସ୍ପର ଉପରେ ଦୋଷ ଲଦି ଚୁପ୍‌ ବସି ରହିଛନ୍ତି। ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଗୋଠଦା ଗ୍ରାମରେ ୧୫ ଦିନ ତଳେ ବିଦ୍ୟୁତ୍‌ ବିଭାଗ ତରଫରୁ ଖୁଣ୍ଟ ପକାଯାଇ ବିଦ୍ୟୁତ ସଂଯୋଗ କରାଯାଉଛି। ଏନେଇ ମନ୍ଦିର ନିକଟସ୍ଥ ଗ୍ରାମ ଉନ୍ନୟନ ରାସ୍ତା ପାର୍ଶ୍ୱରେ ଯାଇଥିବା ପାଇପ୍‌ ଉପରେ ଖୋଳାଯାଇ ବିଦ୍ୟୁତ୍‌ ଖୁଂଟ ପକାଯାଇଛି। ଫଳରେ ସେଠାରେ ପାଣି ପାଇପ୍‌ ଫାଟି ଯାଇଛି। ସେଠାରୁ ପାଣି ବାହାରି ନଷ୍ଟ ହେବା ସହ ରାସ୍ତାରେ ଜମୁଛି। ଫଳରେ ଉକ୍ତ ଗ୍ରାମର ୫୦ ରୁ ଊର୍ଦ୍ଧ୍ୱ ପରିବାର ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇ ଅସୁବିଧା ଭୋଗୁଛନ୍ତି।
ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ରଶ୍ମିରଞ୍ଜନ ଦାସ କହିଛନ୍ତି, ବିଦ୍ୟୁତ ବିଭାଗ ମନଇଚ୍ଛା ରାସ୍ତା ଖୋଳି ପାଇପ୍‌ ଲାଇନକୁ ଫଟାଇ ଦେଉଛନ୍ତି। ଏଥିପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୌଣସି ଲିଖିତ ଭାବେ ପାନୀୟ ଜଳ ବିଭାଗକୁ ଅବଗତ କରାଯାଇନାହିଁ। ଖୁବ୍‌ଶୀଘ୍ର ଏହି ପାଇପ୍‌ ଲାଇନ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଟାଟାପାଓ୍ବାର ଲିଡ୍‌ ମ୍ୟାନେଜର ଦୀପକ ଭୂଇଁ କହିଛନ୍ତି, ପାଣି ପାଇପ୍‌ କେଉଁ ପଟେ ଯାଇଛି ସେ ବିଷୟରେ ସମ୍ପୃକ୍ତ ବିଭାଗ ପକ୍ଷରୁ ସୂଚନା ଦେବା କଥା। କିନ୍ତୁ କୌଣସି ସୂଚନା ଦିଆଯାଇ ନାହିଁ। ବିଦ୍ୟୁତ୍‌ ଖୁଣ୍ଟ ପକାଇବାବେଳେ ପାଣି ପାଇପ୍‌ ଅଜାଣତରେ ଫାଟି ଯାଇଥିବା କହିଛନ୍ତି। ଦୁଇ ବିଭାଗ ମଧ୍ୟରେ ତାଳମେଳ ରହୁ ନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।