ଅନ୍ତରୀଣ ଜାମିନରେ ଜେଲରୁ ବାହାରିଲେ ପିଣ୍ଟୁ ଦାସ

ବ୍ରହ୍ମପୁର ଅଫିସ,୧୧ା୩: ଜମି ହଡପ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବ ଶଙ୍କର ଦାସ ଗୁରୁବାର ଜେଲରୁ ବାହାରିଛନ୍ତି। ହାଇକୋର୍ଟରୁ ପିଣ୍ଟୁଙ୍କୁ ମିଳିଥିବା ଜାମିନ ସମ୍ପର୍କିତ ସମସ୍ତ ଆବଶ୍ୟକ କାଗଜପତ୍ର ତାଙ୍କ ଓକିଲ ଶିବ ନାରାୟଣ ସାହୁ ଓ ସୁରେନ୍ଦ୍ର ବେହେରା ଗୁରୁବାର ଏଡିଜେ- ୨ ରାଜଶ୍ରୀ ମହାପାତ୍ରଙ୍କ କୋର୍ଟରେ ଦାଖଲ କରିଥିଲେ। ୫୦ହଜାର ଟଙ୍କାର ଦୁଇଟି ବଣ୍ଡ ଓ ଦୁଇଟି ଜାମିନଦାର ଦେଇ ସେ ମଣ୍ଡଳକାରାଗାରରୁ ଜାମିନରେ ବାହାରିଛନ୍ତି। ଉଚ୍ଚ ନ୍ୟାୟାଳୟ ପିଣ୍ଟୁଙ୍କ ତରଫରୁ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଗତ ୮ତାରିଖରେ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ହେଲେ ହାଇକୋର୍ଟରୁ ମିଳିଥିବା ଜାମିନ ସମ୍ପର୍କିତ କାଗଜପତ୍ର ବ୍ରହ୍ମପୁର କୋର୍ଟରେ ୧୦ ତାରିଖରେ ଦାଖଲ ପରେ ସେ ଜେଲରୁ ବାହାରିଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ସେହିପରି ଆସନ୍ତା ୨୫ ତାରିଖରେ ପିଣ୍ଟୁ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ମଧ୍ୟ ଜାମିନରେ ଉଲ୍ଲେଖ ରହିଛି ବୋଲି ତାଙ୍କ ଓକିଲ କହିଛନ୍ତି। ପିଣ୍ଟୁ ତାଙ୍କ ପୁଅ ବ୍ରତଘର ପାଇଁ ହାଇକୋର୍ଟରୁ ୧୭ ଦିନ ପାଇଁ ଜାମିନ ପାଇଛନ୍ତି। ଏଥିରେ ସର୍ତ୍ତ ରହିଛି ଯେ, ସେ କୌଣସି ନିର୍ବାଚନୀ କାର୍ଯ୍ୟକ୍ରମରେ ଯାଇପାରିବେ ନାହିଁ। ଦିନକ ବ୍ୟବଧାନରେ ସେ ଗୋଳନ୍ଥରା ଥାନାକୁ ଯାଇ ସେ ନିଜର ହାଜିରା ଦେବା ପାଇଁ ନିର୍ଦ୍ଦେଶ ରହିଛି। ପ୍ରକାଶ ଯେ, ପିଣ୍ଟୁ କନିଷି ଅଞ୍ଚଳର କିଛି ଦଳିତ ଲୋକଙ୍କ ଜମି ହଡପ ଅଭିଯୋଗରେ ୨୦୧୮ ଜାନୁୟାରୀ ୧୯ରୁ ଗିରଫ ହୋଇ ମଣ୍ଡଳକାରାଗାରରେ ଥିଲେ।