ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ ରହିଛନ୍ତି।
ସକାଳ ପ୍ରାୟ ୮:୧୦ ସମୟରେ ମୁମ୍ବାଇରୁ ବାରାମତୀ ଅଭିମୁଖେ ଯାଉଥିବା ବେଳେ ବିମାନଟି ଅବତରଣର ମାତ୍ର କିଛି ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାରାମତୀ ବିମାନବନ୍ଦରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଏକ ପାର୍ବତ୍ୟ ଅଞ୍ଚଳରେ ବିମାନଟି ଖସିପଡ଼ିଥିଲା। ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନ ପାଇଁ ୪ଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଅଜିତ ବାରାମତୀ ଯାଉଥିଲେ।
ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ମୁଖ୍ୟ ପାଇଲଟ୍ ସୁମିତ କାପୁର, କୋ-ପାଇଲଟ୍ ଶମ୍ଭାବୀ ପାଠକ ଏବଂ ଜଣେ ବିମାନ ପରିଚାରିକାଙ୍କ ମୃତ୍ୟୁ ଘଟିଛି।
କିଏ ଏହି ଶମ୍ଭାବୀ ପାଠକ?
ଦିଲ୍ଲୀର ଭିଏସଆର ଭେଞ୍ଚର୍ସରେ କାର୍ଯ୍ୟରତ ଶମ୍ଭାବୀ ଜଣେ ଦକ୍ଷ ପାଇଲଟ୍ ଥିଲେ। ସେ ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ନ୍ୟୁଜିଲ୍ୟାଣ୍ଡରୁ କମର୍ସିଆଲ୍ ପାଇଲଟ୍ ଟ୍ରେନିଂ ନେଇଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ଏରୋନଟିକ୍ସରେ ବିଏସସି ଡିଗ୍ରୀ ହାସଲ କରିଥିଲେ। ପରେ ମଧ୍ୟପ୍ରଦେଶ ଫ୍ଲାଇଙ୍ଗ୍ କ୍ଲବରେ ଆସିଷ୍ଟାଣ୍ଟ ଇନଷ୍ଟ୍ରକ୍ଟର ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ସେ DGCA ରୁ Frozen ATPL ଏବଂ ସ୍ପାଇସଜେଟ୍ରୁ ଏଭିଏସନ୍ ସିକ୍ୟୁରିଟି (AVSEC) ସାର୍ଟିଫିକେଟ୍ ପ୍ରାପ୍ତ କରିଥିଲେ।
ଏହି ଦୁଃଖଦ ଘଟଣା ପରେ ସମଗ୍ର ମହାରାଷ୍ଟ୍ର ସମେତ ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

