ମାଟି ତଳୁ ମିଳିଲା ଗଦାଗଦା ଆଧାର କାର୍ଡ

ପାରଳାଖେମୁଣ୍ଡି, ଆର.ଉଦୟଗିରି,୧୨ା୮(ଡି.ଏନ୍‌.ଏ.):ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ବେଳେ ଏହାକୁ କେମିତି ଦୁରୂପଯୋଗ କରାଯାଇଛି ତାହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ ଡରାବ ଗ୍ରାମରେ। ଗୁରୁବାର ସ୍ଥାନୀୟ ପୋଷ୍ଟଅଫିସ ନିକଟରେ ଥିବା ଅଳିଆ ଗଦା ଓ ମାଟି ତଳୁ ମିଳିଛି ଗଦା ଗଦା ଆଧାର କାର୍ଡ। ପୋଷ୍ଟମାଷ୍ଟର ଉକ୍ତ ଆଧାରକାର୍ଡଗୁଡ଼ିକୁ ଲୋକଙ୍କୁ ନ ବାଣ୍ଟି ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଓ୍ବାର୍ଡ ସଭ୍ୟ ନାରାୟଣ ଶବର, କୈଳାସ ଶବର, ବୁଧବାରିଆ ଶବରଙ୍କ ସମେତ ବହୁ ଗ୍ରାମବାସୀ।
ପ୍ରକାଶ ଯେ, ଡରାବ ଗାଁରେ ଥିବା ପୋଷ୍ଟ ଅଫିସ ଉପରେ ୬ ଖଣ୍ଡ ଗାଁର ଲୋକେ ନିର୍ଭର କରନ୍ତି। ଏହି ୬ଖଣ୍ଡ ଗଁାର ଲୋକମାନେ ଆଧାର କାର୍ଡ ପାଇଁ ମୋହନା ଜନସେବା କେନ୍ଦ୍ରରେ ଆବେଦନ କରିଥିଲେ। କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ବି ସେମାନେ ଆଧାର କାର୍ଡ ପାଇପାରୁନଥିଲେ। ଗୁରୁବାର ପୋଷ୍ଟ ଅଫିସ ନିକଟସ୍ଥ ଅଳିଆ ଗଦାରେ କିଛି ଆଧାର କାର୍ଡ ପଡ଼ିଥିବା ଜଣେ ଯୁବକ ଦେଖିଥିଲେ। ତାଙ୍କର ସନ୍ଦେହ ହେବାରୁ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଆସି ମାଟି ଖୋଳିଲା ପରେ ଶହ ଶହ ଆଧାର କାର୍ଡ ବାହାରିଥିଲା। ନିଜ ନିଜ ପରିଚୟ ପତ୍ର ପାଇବାକୁ ମାଟି କାଦୁଅରେ ଖୋଜିବାରେ ଲାଗିପଡ଼ିଥିଲେ ଗ୍ରାମବାସୀ। କେତେକ କାର୍ଡ ଟୁକୁରା ହୋଇପଡିଥିଲା ତ ଆଉ କିଛି ନଷ୍ଟ ହୋଇଯାଇଥିଲା। ଆଧାର କାର୍ଡ ପୋଷ୍ଟ ଅଫିସ ଜରିଆରେ ଆସିବା ପରେ ସେଗୁଡ଼ିକୁ ପୋଷ୍ଟମାଷ୍ଟର ପର୍ଶୁଧର ରଣସିଂ ଲୋକଙ୍କୁ ନ ଦେଇ ଅଳିଆ ଗଦାରେ ଓ କିଛି ମାଟିରେ ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁର ବହୁ ଗରିବ ଲୋକ ଆଧାର କାର୍ଡ ନ ଥିବାରୁ ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚତ୍ତ ଥିବା କହିଛନ୍ତି। ପୋଷ୍ଟମାଷ୍ଟର ରଣସିଂଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ତେଣୁ ତୁରନ୍ତ ଏ ବାବଦରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।