ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଲେ ପିହୁଙ୍କ ମା’

ଯାଜପୁର ଟାଉନ,୯ା୮(ଡି.ଏନ.ଏ.):୪ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ହେବାର ୨ବର୍ଷ ବିତି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ପିହୁଙ୍କ ମା’ ମୋନାଲିସା ସିବିଆଇ ତଦନ୍ତ ଦାବିରେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ବିଂଝାରପୁର ଥାନା ଅଧୀନ ମଧୁସୂଦନପୁର ଗ୍ରାମର ୪ବର୍ଷୀୟା ଶିଶୁ କନ୍ୟା ପିହୁ ୨୦୨୦ଅଗଷ୍ଟ ୯ରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜା ଖୋଜି କରିବା ପରେ ପିହୁଙ୍କୁ ପରିବାର ଲୋକେ ପାଇ ନ ଥିଲେ ା ୧୦ ତାରିଖରେ ପିହୁଙ୍କ ମା’ ମୋନାଲିସା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ା ହେଲେ ପୋଲିସ ମାମଲା ରୁଜୁ କରି ନ ଥିଲା। ବହୁ ଦାବି ଫଳରେ ସେହିମାସ ୧୪ ତାରିଖରେ ପୋଲିସ ଏକ ନିଖୋଜ ମାମଲା (ନଂ.୨୮/୨୦୨୦) ରୁଜୁ କରିଥିଲା ା ହେଲେ ପିହୁଙ୍କ କୌଣସି ସନ୍ଧାନ ମିଳି ନ ଥିଲା। ଅପରପକ୍ଷେ ଝିଅକୁ ଖୋଜି ଆଣିବାକୁ ମୋନାଲିସା ବାରମ୍ବାର ଥାନାକୁ ଦୌଡିଥିଲେ ା ଏଥିରେ ବ୍ୟସ୍ତ ହୋଇ ଥାନା ଅଧିକାରୀ ନିରଞ୍ଜନ ସବର ମୋନାଲିସାଙ୍କୁ ଗାଳିଗୁଲଜ କରି ତଡିଦେଇଥିଲେ। ପରେ ମୋନାଲିସା ଯାଜପୁର ଏସ୍‌ପି, ଡିଜିପି, କ୍ରାଇମ୍‌ବ୍ରାଞ୍ଚ, ରାଜ୍ୟ ମହିଳା ଓ ଶିଶୁ କମିଶନ, ମୁଖମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏକାଧିକ ଥର ଜଣାଇବା ପରେ ବି ପିହୁଙ୍କୁ ଉଦ୍ଧାର କରାଯାଇପାରି ନାହିଁ ବୋଲି ମୋନାଲିସା ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାର ସିବିଆଇ ତଦନ୍ତ ଦାବି କରି ମୋନାଲିସା ସୋମବାର ଧାରଣାରେ ବସିଛନ୍ତି।