ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ସେ ଏହି ଘଟଣାରେ ଅଭିଯୋଗ ପତ୍ର ପ୍ରଦାନ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ପରେ ଏହାକୁ ଦୃଢ଼ ଭାବେ କାଉଣ୍ଟର କରିଛନ୍ତି ବରୀ ବିଧାୟକ ବିଶ୍ବ ରଂଜନ ମଲ୍ଲିକ। ସେ କହିଛନ୍ତି ଯେ, କେବଳ କ୍ରାଇମବ୍ରାଞ୍ଚ କାହିଁକି, ଏହି ସମ୍ବେଦନଶୀଳ ଘଟଣାର ସିବିଆଇ (CBI) ତଦନ୍ତ କରାଯାଉ। ଏଥିସହ ସାଂସଦଙ୍କୁ ଟାର୍ଗେଟ କରି ବିଧାୟକ ପ୍ରଶ୍ନ କରିଛନ୍ତି ଯେ, ଦୀର୍ଘ ଅଢ଼େଇ ବର୍ଷ ପରେ ହଠାତ ପିହୁ କଥା କାହିଁକି ମନେପଡ଼ିଲା? ବନ୍ୟା ପରିଚାଳନାର ବିଫଳତାକୁ ଲୁଚାଇବା ପାଇଁ ଏହା ଏକ ରାଜନୈତିକ ପ୍ରହସନ ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ମସିହା ଅଗଷ୍ଟ ୯ , ରବିବାର ନିଜ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କୁନି ଝିଅ ପିହୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲା। ଏହି ଘଟଣାର ୫ ଦିନ ପରେ ବିଂଝାରପୁର ପୋଲିସ ଆଇପିସି ଧାରା ୩୬୩ ଅନୁଯାୟୀ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତରେ କୌଣସି ଆଖିଦୃଶିଆ ତତ୍ପରତା ଦେଖିବାକୁ ମିଳି ନ ଥିଲା। ନ୍ୟାୟ ପାଇଁ ପିହୁର ମା’ ବାରମ୍ବାର ଜିଲ୍ଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ଦ୍ୱାରସ୍ଥ ହୋଇ ନିବେଦନ କରିଆସୁଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିବା ସହ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।