ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଏକ ଚାଉଳ ବୋଝେଇ ୪୦୭ ଭେନ ଏକ ସେତୁ ଉପରେ ଓଲଟି ପଡିଥିଲା । ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ରବିବାର ଅପରାହ୍ନରେ କାଚାପାଜୁ ଗ୍ରାମର ୭ଜଣ ନିଜର ଧାନ ମିଲିଙ୍ଗ କରିବା ପାଇଁ ମୁନିଗୁଡା ନେଇଥିଲେ । ସେଠାରେ ଧାନ ମିଲିଙ୍ଗି କରି ସାରିବା ପରେ ଏକ ୪୦୭ଭେନ୍ ରେ ଚାଉଳ ନେଇ ନିଜ ଘରକୁ ଫେରୁଥିବା ବେଳେ ଡୁକୁମ୍ ଗ୍ରାମପଞ୍ଚାୟତର କାଚାପାଜୁ ଗ୍ରାମକୁ ଫେରୁଥିବା ବେଳେ ଗାଁ ନିକଟ ଗଡାଣିଆ ରାସ୍ତାରେ ଭେନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟାଣାରେ ଘଟଣା ସ୍ଥଳରେ ମଣ୍ଡେଙ୍ଗା ସାରକା (୬୫) ଗାଡି ଭିତରେ ଚାପି ହୋଇ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ବିଷମ କଟକ ପୋଲିସ୍ ଏବଂ ଅଗ୍ନିଶମ ବାହୀନିର ସହାୟତରେ ସମସ୍ତ ଆହତଙ୍କୁ ଉଦ୍ଦାର କରି ବିଷମ କଟକ ଖ୍ରୀଷ୍ଟିୟାନ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଚିକିତ୍ସାଧିନ ଅବସ୍ଥାରେ ଡ୍ରିଞ୍ଜ ସାରକା (୫୫) ଓ ଧ୍ୟବେଳେଶ୍ୱର ସାରକା (୨୫) ଦୁହିଁଙ୍କ ମୃତ୍ୟୁ ହୋଇଛି । ଆହତ ହିମାଂଶୁ ସାରକାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ଉନ୍ନତ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଜିତ ସାରକା ଏବଂ ନବୀନ ସାରକା ଚିକିତ୍ସାଧିନ ରହିଥିବା ବେଳେ ଡମ୍ବରୁ ସାରକା, ଜଳନ୍ଦର ବାଘ ଏବଂ ଟାହିଲା ମାମ୍ବାଲକାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଏନେଇ ବିଷମ କଟକ ଥାନାରେ ଏକ ମାମଲା ରୁଜୁ ହୋଇଛି । ମାମଲା ଆଧାରରେ ବିଷମ କଟକ ପୋଲିସ୍ ମେଡିକାଲରେ ପହଁଚି ତିନଟି ଶବ ଜବତ କରିବା ସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ ଚଳାଇଛି । ଦୁର୍ଘଟଣାରେ ଗୋଟିଏ ଗାଁର ତିନି ଜଣଙ୍କ ଜୀବନ ଚାଲିଯାଇଥିବାରୁ କାଚାପାଜୁ ଗାଁରେ ଶୋକର ଛାୟା ଖେଳିଯାଇଛି ।

