ପୋଲିସକୁ ଚକମା ଦେଖାଇ ଖସିଆସୁଥିଲେ, ରାସ୍ତାରେ ଓଲଟିଲା ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ

ଭଞ୍ଜନଗର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳିଗ୍ରାମ ନିକଟରେ ବୁଧବାର ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଭ୍ୟାନରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି। ଖବର ପାଇ , ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ପ୍ରକାରେ, ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ନିକଟରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ହେଉଥିବା ବେଳେ କନ୍ଧମାଳ ପଟୁ ଆସୁଥିବା ଏହି ପିକଅପ୍‌ ଭ୍ୟାନଟି ପୋଲିସ ଗାଡିକୁ ଦେଖି ବ୍ରାହ୍ମଣପଦର, ଗାଲେରୀ ଭଞ୍ଜନଗର ଦେଇ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୁଜୁରାଳି ନିକଟରେ ଓଲଟି ପଡିଥିଲା। ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଗଞ୍ଜେଇକୁ ଓଜନ କରାଯାଇ ଜବତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।