Categories: ବାଣିଜ୍ୟ

ପେଟ୍ରୋଲ,ଡିଜେଲ ମାର୍କେଟିଂ ନିୟମ ସରଳ ହେଲା

ନୂଆଦିଲ୍ଲୀ,୬।୮: ପେଟ୍ରୋଲ ଏବଂ ଡିଜେଲ ମାର୍କେଟିଂ କ୍ଷେତ୍ରରେ ଅଧିକ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଲାଗି ସରକାର ନିୟମକୁ ସରଳ କରିଥିବା ଜଣାପଡିଛି। ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ରିଟେଲ କାରବାରକୁ ପ୍ରବେଶ କରିବାକୁ କମ୍ପାନୀଗୁଡିକୁ ଅତି କମ୍‌ରେ ୧୦୦ ରିଟେଲ ଆଉଟଲେଟ ସ୍ଥାପନ କରିବାକୁ ପଡିବ। ନୂଆ ଗାଇଡ୍‌ଲାଇନ ମୁତାବକ କମ୍ପାନୀଗୁଡିକ ସିଧାସଳଖ ଏ ଦିଗରେ ମନ୍ତ୍ରଣାଳୟରେ ଆବେଦନ କରିପାରିବେ। ଏହା ସହ କମ୍ପାନୀଗୁଡିକ ନେଟ୍‌ଓର୍ଥ ବା ସମ୍ପତ୍ତି ୨୫୦ କୋଟି ଟଙ୍କା ହୋଇଥିବା ଆବଶ୍ୟକ। ପରିବର୍ତ୍ତିତ ନିୟମ ଦ୍ୱାରା ଦେଶ ମଧ୍ୟରେ ଇନ୍ଧନ ମାର୍କେଟିଂ ସହଜ ହେବ ବୋଲି ସରକାର କହିଛନ୍ତି। ଘରୋଇ କ୍ଷେତ୍ର ସମେତ ବିଦେଶୀ କମ୍ପାନୀଗୁଡିକ ବର୍ତ୍ତମାନ ଇନ୍ଧନର ବହୁଳ କିମ୍ବା ରିଟେଲ ମାର୍କେଟିଂ କରିପାରିବେ। ଏ କ୍ଷେତ୍ରରେ ରିଟେଲ ନେଟ୍‌ଓ୍ବର୍କକୁ ବଢାଇବା ଏବଂ ବିକଳ୍ପ ଇନ୍ଧନ ବ୍ୟବହାରକୁ ଉତ୍ସାହିତ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏଭଳି ବିଭିନ୍ନ ଯୋଜନା ଦ୍ୱାରା ଗ୍ରାହକଙ୍କୁ ଗୁଣବତ୍ତା ସେବା ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଡିଜେଲର ବିପଣନ କାମ କେବଳ ଅଧିକାଂଶ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ କରୁଥିଲେ। ଏଥିରେ ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ, ଏନ୍‌ଆର୍‌ଏଲ୍‌, ଏମ୍‌ଆର୍‌ପିଏଲ୍‌, ବିଓଆର୍‌ଏଲ୍‌ , ରିଲାଏନ୍ସ, ଏସାର ଏବଂ ସେଲ୍‌ ଭଳି କିଛି ମାତ୍ର କମ୍ପାନୀ ରହିଥିଲେ। ଗ୍ରାମାଞ୍ଚଳରେ ରିଟେଲ ନେଟ୍‌ଓ୍ବର୍କକୁ ବଢାଇବା ଲାଗି ସରକାର କାର୍ଯ୍ୟ କରୁଥିବା କହିଛନ୍ତି।

Share