ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ

ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ ୨୦୦ରୁ ଅଧିକ ଆହତଙ୍କର ଚିକିତ୍ସା ଚାଲିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପୋଲିସ ରହିଛନ୍ତି । ପାକିସ୍ତାନର ଖେବର ପଖତୁନଖ୍ୱାର ପୋଲିସ ମୁଖ୍ୟ ମୋଅଜ୍ଜମ ଜାହ ଅଂସାରୀ ଗୁରୁବାର କହିଛନ୍ତି, ଆକ୍ରମଣକାରୀ ଆତ୍ମଘାତୀ ଥିଲେ ଓ ଏକ ସିସିଟିଭି ଫୁଟେଜରୁ ଜଣାପଡିଛି କି ସେ ପୋଲିସ ପୋଷାକ ପିନ୍ଧିବା ସହ ମାସ୍କ ଓ ହେଲମେଟ ପିନ୍ଧିଥିଲେ ।
ପୋଲିସ ମୁଖ୍ୟ କହିଛନ୍ତି ଆକ୍ରମଣକାରୀଙ୍କ ମୁଣ୍ଡ ଜବତ କରାଯାଇଛି । ଏହାସହ ଏକ ବଲ ବିୟରିଂଗ ବି ଜବତ କରାଯାଇଛି, ଯାହା ସୁଇାଇଡ ଜ୍ୟାକେଟରେ ବ୍ୟବହାର କରାଯାଇଥାଏ । ପୋଲିସ କହିଛି ଆକ୍ରମଣକାରୀ ଯେଉଁ ମୋଟର ସାଇକେଲରେ ଆସିଥିଲେ ସେ ସମ୍ପର୍କରେ ମଧ୍ୟ ସୂଚନା ମିଳି ସାରିଛି । ପୋଲିସର ସୂଚନା ଅନୁଯାୟୀ, ବିସ୍ଫୋରଣ ପାଇଁ ୧୦-୧୨ କିଲୋ ଟିଏନଟି ବ୍ୟବହାର କରାଯାଇଥିଲା, ଫଳରେ ବିସ୍ଫୋରଣ ଏତେ ଯୋରରେ ହୋଇଥିଲା । ଏଥିରେ ମସଜିଦର ଛାତ ଓ ପାଚିରି ଭାଙ୍ଗି ଯାଇଥିଲା । ଫଳରେ ମୃତକଙ୍କ ସଂଖ୍ୟା ବଢିଯାଇଛି ।
ପେଶାୱର ବୋମା ବିସ୍ଫୋରଣକୁ ନେଇ ମୁସଲିମ ଲିଗ ନୱାଜର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପୂର୍ବତନ ଆଇଏସଆଇ ଚିଫ ଜେନରାଲ ଫୈଜ ହାମିଦଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାସହ ତାଙ୍କୁ ପେଶାୱାର ଆକ୍ରମଣ ପାଇଁ ଦାୟୀ କରିଛନ୍ତି । ମରିୟମ ନୱାଜ କହିଛନ୍ତି ଇମ୍ରାନ ଖାଁଙ୍କ ଅତି ନିକଟତର ଥିଲେ ଜେନରାଲ ଫୈଜ ହାମିଦ, ସେ ପେଶାୱରରେ ଆର୍ମି କମାଣ୍ଡ ଭାବେ ନିଯୁକ୍ତ ଥିଲେ ଓ ସେ ହିଁ ଆତଙ୍କବାଦୀଙ୍କ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ମରିୟମ କହିଛନ୍ତି ସେ ଇମ୍ରାନଙ୍କ ଆଖି, ହାତ ଓ କାନ ଥିଲେ, ଯଦି ସେ ପାକିସ୍ତାନର ହାତ, କାନ ଓ ଆଖି ହୋଇଥାଆନ୍ତେ ତେବେ ପରିସ୍ଥିତି ଅଲଗା ହୋଇଥାଆନ୍ତା ।

Share