ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ବିରୋଧ: କାମ ବନ୍ଦ କଲେ ଲୋକେ

ମାହାଙ୍ଗା,୧୭ା୪(ସ୍ବ.ପ୍ର.): ଛତିଆ-ସାଲେପୁର ପୂର୍ତ୍ତରାସ୍ତାର କଇଥା-ଚମ୍ପାପୁର ଗେଙ୍ଗୁଟି ନଦୀ ପୋଲ ନିକଟରେ ଚେକ୍‌ ଡ୍ୟାମ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ରବିବାର ଲୋକେ କାମ ବନ୍ଦ କରିଦେଇଛନ୍ତି।
ମାହାଙ୍ଗା ବ୍ଲକ କଇଥା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦବଜାରଠାରେ ଗେଙ୍ଗୁଟି ନଦୀର ପୋଲ ନିକଟରେ ବଡଚଣା ପୂର୍ତ୍ତ ବିଭାଗ ପକ୍ଷରୁ ୭୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଚେକ ଡ୍ୟାମ ନିର୍ମାଣ ହେଉଛି। ଏହାକୁ ପୋଲ ନିକଟରୁ ତଳୁଆ ଅଞ୍ଚଳରେ ବସବାସ କରୁଥିବା କଇଥା ପଞ୍ଚାୟତ ଏବଂ ଯାଜପୁର ଜିଲା ବଡଚଣା ବ୍ଲକର ଲୋକେ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବେ। ଖରାଦିନେ ଗାଧୁଆ ଠାରୁ ଆରମ୍ଭ କରି ଚାଷ ନିମନ୍ତେ ଜଳସେଚନ ପାଇଁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ କଇଥା ଓ ବଡଚଣା ଅଞ୍ଚଳର ଲୋକେ ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି। ଏଥିରେ କଇଥା ସରପଞ୍ଚଙ୍କ ପ୍ରତିିନିଧି ନାରାୟଣ ବେହେରା, ସମିତସଭ୍ୟାଙ୍କ ପ୍ରତିିନିଧି ସୁକାନ୍ତ ଦଳେଇ, କମଳାକାନ୍ତ ରାଉତ, କପିଳେଶ୍ୱର ପାଲ, ବଳରାମ ବେହେରା ପ୍ରମୁଖ ଯୋଗଦେଇ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି। ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏହି ଘଟଣାରେ ହସ୍ତକ୍ଷେପ କରି ଚାଷୀ ଓ ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ବଡଚଣା ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ପାର୍ଥସାରଥି ପ୍ରୟାଗରାଜଙ୍କୁ ପଚାରିବାରୁ ସରକାରଙ୍କ ନିର୍ଦ୍ଦେଶରେ ଚେକ୍‌ ଡ୍ୟାମ ନିର୍ମାଣ କରାଯାଉଛି। ଅଞ୍ଚଳବାସୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।