ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ ମହମ୍ମଦ କଏସ୍ ଅଧ୍ୟକ୍ଷତା କରି ସାଧାରଣ ଲୋକଙ୍କୁ ଆଇନ ସମ୍ପର୍କିତ ବିଭିନ୍ନ ସୁବିଧା ଓ ସଚେତନତା ଏବଂ ନୂଆ ଆଇନ ଉପରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ। ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ସୁରକ୍ଷା, ଡି.ଭି. ଆକ୍ଟ, ପୋକ୍ସୋ ଆଇନ ଏବଂ ସାମାଜିକ ଅପରାଧ ବିରୋଧୀ ଆଇନ ଉପରେ ସଚେତନ କରାଇଥିଲେ।
ତାଲୁକ ଆଇନ ସେବା କମିଟି ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏବଂ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ଲୋକ ଅଦାଲତ, ନିଃଶୁଳ୍କ ଆଇନ ସହାୟତା ଓ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଅଳକା ମଞ୍ଜରୀ ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ। ଦଦରାଲୁଣ୍ଡା ସମିତିସଭ୍ୟ ଶ୍ରୀନିବାସ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।