Categories: ଗଜପତି

ଅଡବାରେ ଅବୈଧ ଗଞ୍ଜେଇ ଚାଷ ବନ୍ଦ ପାଇଁ ଏକାଠି ହେଲେ ଜନସାଧାରଣ, ନଶାମୁକ୍ତ ଓଡ଼ିଶା…

ମୋହନା,୨୫।୮(ମନ୍ମଥ ମିଶ୍ର): “ଗଞ୍ଜେଇମୁକ୍ତ ଗଜପତି” ଏବଂ “ନଶାମୁକ୍ତ ଓଡ଼ିଶା” ଅଭିଯାନର ଅଂଶ ସ୍ୱରୂପ ଅଡବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗଜପତି ପୋଲିସ ଅଧୀକ୍ଷକ ପ୍ରହଲ୍ଲାଦ ସାହାଇ ମୀନାଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଅବୈଧ ଗଞ୍ଜେଇ ଚାଷ ବିରୋଧରେ ଏକ ସ୍ୱତନ୍ତ୍ର ସଚେତନତା ଓ ଜନସହଭାଗିତା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଡବା ଥାନା ଅଧୀନରେ ଥିବା ଗଞ୍ଜେଇ ଚାଷ ପ୍ରଭାବିତ ଓ ସମ୍ବେଦନଶୀଳ ଅଞ୍ଚଳର ସରପଞ୍ଚ, ୱାର୍ଡ ସଭ୍ୟ, ବିଭିନ୍ନ ସମ୍ପ୍ରଦାୟର ନେତୃବର୍ଗ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଯୋଗଦେଇଥିଲେ। ଉପସ୍ଥିତ ସମସ୍ତଙ୍କୁ ଅବୈଧ ଗଞ୍ଜେଇ ଚାଷର କଠୋର ଆଇନଗତ ପରିଣାମ, ଯୁବପିଢ଼ି ଓ ସମାଜ ଉପରେ ଏହାର କ୍ଷତିକାରକ ପ୍ରଭାବ ଏବଂ ଏହି ସାମାଜିକ ବ୍ୟାଧିକୁ ସମୂଳେ ଦୂର କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ୱାର୍ଡ ସଭ୍ୟ ଓ ସ୍ଥାନୀୟ ବାସିନ୍ଦାମାନେ ସର୍ବସମ୍ମତିକ୍ରମେ ନିଜ ନିଜ ଗ୍ରାମରେ କୌଣସି ପରିସ୍ଥିତିରେ ଅବୈଧ ଗଞ୍ଜେଇ ଚାଷକୁ ପ୍ରଶ୍ରୟ ନ ଦେବାକୁ ସଂକଳ୍ପ ନେଇଥିଲେ। ସେମାନେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏପରି ବେଆଇନ କାର୍ଯ୍ୟରୁ ଲୋକଙ୍କୁ ବିରତ ରଖିବା ଏବଂ ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ଓ ପ୍ରତିରୋଧ କରିବାରେ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗକୁ ପୂର୍ଣ୍ଣ ସହଯୋଗ କରିବାକୁ ଶପଥ ନେଇଥିଲେ।
ଉପସ୍ଥିତ ଜନପ୍ରତିନିଧି ଓ ସାଧାରଣ ଲୋକମାନେ ଆଇନସମ୍ମତ ଓ ସ୍ଥାୟୀ ଜୀବିକା ପ୍ରତି ଲୋକଙ୍କୁ ପ୍ରୋତ୍ସାହିତ କରିବା ସହ ଯୁବପିଢ଼ିଙ୍କୁ ନିଶାସକ୍ତ ଓ ଅବୈଧ ମାଦକ ଦ୍ରବ୍ୟ କାରବାରରୁ ଦୂରେଇ ରଖିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବେ ବୋଲି ଆଶ୍ୱାସନ ଦେଇଥିଲେ।
କାର୍ଯ୍ୟକ୍ରମରେ ଏହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ଯେ, କେବଳ ଆଇନ ପ୍ରୟୋଗ ମାଧ୍ୟମରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ନାହିଁ। ଏଥିପାଇଁ ପଞ୍ଚାୟତିରାଜ ପ୍ରତିନିଧି, ସମାଜର ନେତୃବର୍ଗ ଏବଂ ସାଧାରଣ ଜନତାଙ୍କ ସକ୍ରିୟ ଭାଗିଦାରି ଅତ୍ୟନ୍ତ ଆବଶ୍ୟକ।
ଗଜପତି ପୋଲିସ ସମସ୍ତ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନ ଏବଂ ଅଡବା ସହ ସମଗ୍ର ଗଜପତି ଜିଲ୍ଲାକୁ ଅବୈଧ ଗଞ୍ଜେଇ ଚାଷମୁକ୍ତ କରିବା ପାଇଁ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଜଣାଇଛି।

 

Dharitri – Odisha’s No.1 Odia Daily

Share