ପ୍ରକଳ୍ପ ପ୍ରଭାବିତ ୪ ମୌଜାବାସୀ ରଖିଲେ ମତ

ପୁରୀ ଅଫିସ,୧୫ା୧୦:ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିଲାଗି ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏଥିମଧ୍ୟରେ ଶ୍ରୀସେତୁ ଏକ ମେଗା ପ୍ରକଳ୍ପ। ରାଜ୍ୟର ଏହି ପ୍ରଥମ ଟ୍ରମ୍ପେଟ ସେତୁ ପୁରୀରେ ତିଆରି ହେବ। ଏହାର ଜମି ଅଧିଗ୍ରହଣ ଓ ପୁନଃ ଥଇଥାନ ସମ୍ପର୍କିତ ସାମାଜିକ ପ୍ରଭାବ ଆକଳନର ଜନଶୁଣାଣି ବୁଧବାର ଅତିରିକ୍ତ ଜିଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୪ଟି ମୌଜା (ସମଙ୍ଗ, ମାଟିତୋଟା, ଦାଣ୍ଡିମାଳସାହି ଓ ମାର୍କଣ୍ଡେଶ୍ୱର ସାହି)ର ଲୋକେ ଜନଶୁଣାଣିରେ ଯୋଗଦେଇ ସେମାନଙ୍କ ମତ ରଖିଛନ୍ତି। ପ୍ରକଳ୍ପ ଦ୍ୱାରା ସେମାନଙ୍କର ଯେଉଁ କ୍ଷତି ହେଉଛି ତାହାର ଭରଣା ପାଇଁ କ’ଣ ଚାହାନ୍ତି ସେ ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଜଣାଇଛନ୍ତି। ଜଗନ୍ନାଥବଲ୍ଲଭ ପରିସରରେ ରହିଆସୁଥିବା ଦାଣ୍ଡିମାଳ ସାହିର ୩୦ ପରିବାର ଥଇଥାନ ଦାବି କରିଛନ୍ତି। ସେମାନେ ଥିବା ସ୍ଥାନରୁ ହଟିଯିବେ, କିନ୍ତୁ ସେମାନଙ୍କୁ ଜଗନ୍ନାଥବଲ୍ଲଭର ଅନ୍ୟ କୌଣସି ସ୍ଥାନରେ ଥଇଥାନ କରାଯାଉ ବୋଲି କହିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ ପୁନଃ ଥଇଥାନ ନୀତି ପାଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ପ୍ରଥମେ ସମଙ୍ଗ ମୌଜା ପାଇଁ ସମଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି ହୋଇଥିଲା। ସେହିପରି ମାର୍କଣ୍ଡେଶ୍ୱର ମୌଜା ପାଇଁ ମା’ ବିଶେଶ୍ୱରୀ ଠାକୁରାଣୀ ପୀଠ, ମାଟିତୋଟା ନିମନ୍ତେ ମାଟିତୋଟା କୋଠଘର ଏବଂ ଦାଣ୍ଡିମାଳ ସାହି ପାଇଁ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଶୁଣାଣି କରାଯାଇଥିଲା। ଏଥିରେ ଜମି ଅଧିଗ୍ରହଣର ଉଦ୍ଦେଶ୍ୟ ସାମାଜିକ, ଅର୍ଥନୈତିକ, ପରିବେଶ, ସାଂସ୍କୃତିକ ପ୍ରଭାବ ଓ ଲାଭ ସମ୍ପର୍କରେ ଅବଗତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ବ୍ୟକ୍ତିଗତ କାରଣରୁ ଯେଉଁମାନେ ଭାଗ ନେଇପାରି ନ ଥିଲେ ସେମାନଙ୍କ ଲାଗି ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ଗୁଗଲ ମିଟ୍‌ ମାଧ୍ୟମରେ ଜନଶୁଣାଣି ଆୟୋଜନ ହୋଇଥିଲା। ଏଥିରେ ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ ସୁବ୍ରତ ବେହେରା, ଭୂ ଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ତହସିଲଦାର ରବୀନ୍ଦ୍ର ପ୍ରଧାନ, ଆଦ୍ରା କନ୍‌ସଲଟିଂ ପ୍ରାଇଭେଟ ଲିମିଟେର ପରିଚାଳନା ନିର୍ଦ୍ଦେଶକ ରତିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସେତୁ ପୁରୀ-ଭୁବନେଶ୍ୱର ୩୧୬ନଂ. ଜାତୀୟ ରାଜପଥର ବାଇପାସ୍‌ ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲିଗ୍ରୀମ ସେଣ୍ଟରକୁ ସଂଯୋଗ କରାଯିବ। ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ପୁରୀର ଉପରୋକ୍ତ ୪ଟି ମୌଜାର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ କରାଯିବ। ରାଜ୍ୟ ସରକାର କିଛି ସେରକାରୀ ଜମି କିଣିସାରିଥିବା ଜଣାପଡ଼ିଛି।