ଚଢାଉବେଳେ ପୋଲିସକୁ ପିଟିଲେ ଲୋକେ

ନନ୍ଦପୁର,୧୬ା୨(ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ଟିକରପଡ଼ା ପଞ୍ଚାୟତର ଦେବତାହଞ୍ଜର ଗ୍ରାମରେ ଜୁଆଖେଳ ଓ ମଦ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଫଳରେ ଏସ୍‌ଡିପିଓ ସମ୍ବିତ କୁମାର ମାଝି ଓ ଥାନା ଅଧିକାରୀ ଆଶ୍ରିତା ଖାଲ୍‌କୋ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ମାଝି ସୁସ୍ଥ ଥିବା ବେଳେ ଥାନାଧିକାରୀ ଖାଲ୍‌କୋଙ୍କୁ ଅଧିକ ଚିକିତ୍ସା ଲାଗି କୋରାପୁଟ ସ୍ଥାନାନ୍ତର କରାଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ଘଟଣାର ଯାଞ୍ଚ କରି ନନ୍ଦପୁର ଥାନା ପରିଦର୍ଶନକରି ଫେରିଛନ୍ତି। ଏସ୍‌ଆଇ ଦୀପ୍ତିମୟୀ ଧରୁଆଙ୍କ ଏତଲାକ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏସ୍‌ଆଇ ବେଦବର ସାହୁ ତଦନ୍ତ ଦାୟିତ୍ୱ ଅଛନ୍ତି।
ଖବରରୁ ଜଣାପଡିଛି, ନନ୍ଦପୁର ଥାନା ଅଧୀନ ଟିକରପଡ଼ା ପଞ୍ଚାୟତ ଦେବତାହଞ୍ଜର ଗ୍ରାମରେ ବୁଧବାର ରାତିରେ ଏକ ବାହାଘର ଭୋଜିର ଆୟୋଜନ ହୋଇଥିଲା। ଗ୍ରାମର ସନୁ ଖିନବୁଡି ବଡପୁଅର ବାହାଘର ଜାକଜମକରେ କରିବାକୁ ଯାଇ ଗ୍ରାମବାସୀଙ୍କ ମନୋରଞ୍ଜନ ପାଇଁ ରାତିରେ ଆଦିବାସୀ ନାଚର ଆୟୋଜନ କରିଥିଲେ। ନାଚ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ନାଚସ୍ଥଳରେ ଜୁଆ ଓ ଖୁଡ଼ୁଖୁଡ଼ି ପାଲି ପକାଇଥିବା ଏବଂ ନିକଟସ୍ଥ ଦୋକାନରେ ଖୋଲାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଥିବା ସୂଚନା ନନ୍ଦପୁର ପୋଲିସକୁ ମିଳିଥିଲା। ଫଳରେ ରାତି ଗୋଟାଏରେ ପୋଲିସ ଟିମ୍‌ ଗ୍ରାମରେ ଚଢାଉ କରିଥିଲା। ପୋଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର କେତେଜଣ ନିଶାସକ୍ତ ଓ ଜୁଆଡ଼ି ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଥାନା ଅଧିକାରୀ ଖାଲ୍‌କୋଙ୍କ ମୁହଁ, ଆଖିରେ ଓ ଏସ୍‌ଡିପିଓ ମାଝିଙ୍କ ହାତରେ ମାଡବାଜି ଉଭୟେ ଆହତ ହୋଇଥିଲେ। ଘଟଣାସ୍ଥଳରୁ ପୋଲିସ ଖୁଡ଼ୁଖୁଡି ପାଲି ଜବତ କରିଛି। ୪ଜଣ ଯୁବକଙ୍କୁ ଧରି ଆଣି ସେମାନଙ୍କୁ ପଚରାଉଚରା କରୁଛି। ସେମାନେ ହେଲେ ଟିଅଁକଣ୍ଟା ଗ୍ରାମର ଲଛମନ ଖରା, ପଞ୍ଜଲ ଗ୍ରାମର ନାରାୟଣ ମାଝି, ହାଟଶୁକ୍ଲ ଗ୍ରାମର ଚନ୍ଦ୍ର ଖେମୁଣ୍ଡୁ ଓ ଘାସି ଖେମୁଣ୍ଡୁ। ଏନେଇ କେସ୍‌ ନଂ. ୨୪/୨୫ରେ ମାମଲା ରୁଜୁ ହୋଇଛି।