ଅସୁବିଧା ଭୋଗୁଛନ୍ତି ବସ୍ତିବାସୀ

ରାଉରକେଲା,୨୩ା୬(ଦିନେଶ ମିଶ୍ର): ରାଉରକେଲା ମନାନଗର ନିଗମ ଅଧୀନ ଶୀତଳପଡା ବସ୍ତି ଅଞ୍ଚଳର ଲୋକମାନଙ୍କୁ ସରକାରଙ୍କ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ବସ୍ତି ଅଞ୍ଚଳ କୌଣସି ପଞ୍ଚାୟତ କି ଆର୍‌ଏମ୍‌ସି ଅଧୀନରେ ଯାଉ ନ ଥିବାରୁ ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଉଦିତନଗର ଶୀତଳପଡାରେ ମୁଣ୍ଡାପଡା, ଗଞ୍ଜାମ, ବଡ ଝୁମ୍ପୁଡି, ବିଳାସପୁରିଆ, ବଲାଙ୍ଗୀର ଭଳି ଅନେକ ବସ୍ତି ରହିଛି। ଏସବୁ ବସ୍ତିଗୁଡିକରେ ପ୍ରାୟ ଏକ ହଜାରେରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ବସ୍ତିବାସୀଙ୍କୁ ଆଜିଯାଏ ସାମାନ୍ୟ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ବିଶେଷ କରି ବସ୍ତିକୁ କୌଣସି ପକ୍କା ରାସ୍ତା ନ ଥିବାବେଳେ ପାନୀୟ ଜଳ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏତେ ଲୋକଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ରହିଛି। ସେଥିରୁ ଗୋଟିଏ ଅଚଳ ଅବସ୍ଥାରେ ପଡିଥିବାବେଳେ ଅନ୍ୟ ନଳକୂପରୁ ନାଲି ଲୁହାଗୁଣ୍ଡ ପାଣି ବାହାରୁଛି। ଫଳରେ ବସ୍ତିବାସୀ ଘର ପାଖ ଡମ୍ପିଂ ଖାଦାନ ଉପରେ ନିର୍ଭର କରିଛନ୍ତି। ସେହିପରି ବସ୍ତି ଭିତରେ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ। ବସ୍ତିବାସୀ ନିଜ ଉଦ୍ୟମରେ ଖୋଳିଥିବା ନାଳ ଖୋଲା ରହିଥିବାରୁ ନାଳ ପାଣି ଅଧିକାଂଶ ସମୟ ରାସ୍ତାରେ ଭାସୁଛି। ଫଳରେ ଯାତାୟାତରେ ସମସ୍ୟା ହେଉଛି। ଏଥିସହ ବୁଲା ପଶୁ ନାଳ ଭିତରେ ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ଡାକ୍ତରଖାନା ଅଭାବରୁ ଲୋକେ ଆର୍‌ଜିଏଚ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି। ଗୋଷ୍ଠୀ ଶୌଚାଳୟ ନ ଥିବାରୁ ମହିଳା ଓ ପୁରୁଷମାନେ ଘର ପାଖ ଖୋଲା ଡମ୍ପିଂ ୟାର୍ଡକୁ ଶୌଚ ପାଇଁ ଯାଉଛନ୍ତି। ଫଳରେ ଲୋକେ ବିଭିନ୍ନ ସମୟରେ ସାପ କାମୁଡାର ଶିକାର ହେଉଛନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ନେଇ ବସ୍ତିବାସୀ ରିଙ୍କି ସେନାପତି କୁହନ୍ତି, ଖରାଦିନେ ପାନୀୟ ଜଳ ଆମ ବସ୍ତିର ମୁଖ୍ୟ ସମସ୍ୟା ସାଜିଛି। ସେହିପରି ରାସ୍ତା ଓ ଷ୍ଟ୍ରିଟ ଲାଇଟ ନାହିଁ। ବସ୍ତି ଅନ୍ଧାରୁଆ ରହୁଥିବାରୁ ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଛି। ଅନ୍ୟ ଜଣେ ବସ୍ତିବାସୀ ଭୋଲ ଦୀପ କହିଛନ୍ତି, ଆମ ବସ୍ତିରେ ପକ୍କା ରାସ୍ତା କି ପାନୀୟ ଜଳ ବ୍ୟବସ୍ଥା ନାହିଁ। ସବୁ ଦିଗରୁ ଆମ ବସ୍ତିକୁ ଅଣଦେଖା କରାଯାଇଛି। ଏ ସମ୍ପର୍କରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ପଚାରିବାରୁ ଏହି ବସ୍ତିଟି ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ବସ୍ତି ଭିତରେ ବିଭିନ୍ନ ସମସ୍ୟା ରହିଛି। ବିଶେଷ କରି ବସ୍ତିଟି ଆର୍‌ଏମ୍‌ସି କି ପଞ୍ଚାୟତ ଅଧୀନରେ ନ ଥିବାରୁ ପାଣ୍ଠି ଆସୁନାହିଁ। ଅନ୍ୟପକ୍ଷେ ବସ୍ତିଟି ଆରଏସ୍‌ପି ଜମିରେ ଗଢି ଉଠିଥିବାରୁ ଏଠାରେ ଆରଏସପି ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବାଧକ ସାଜୁଛି। ତେଣୁ ଆଗାମୀ ଦିନରେ ମୋ ଦ୍ୱାରା କଣ ସହଯୋଗ ହୋଇପାରିବ ମୁ ନିଶ୍ଚୟ ଚେଷ୍ଟା କରିବି ବୋଲି ବିଧାୟକ ତରାଇ ସୂଚନା ଦେଇଥିଲେ।