ତାରସିଂ ରେଞ୍ଜରେ ଦନ୍ତା ଆତଙ୍କ, ଲୋକେ ଭୟଭୀତ

ଭଞ୍ଜନଗର,୯ା୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ରେଞ୍ଜରେ ଗୋଟିଏ ଦନ୍ତା ହାତୀ ଆଜକୁ ପ୍ରାୟ ୧୫ଦିନ ହେବ ଆତଙ୍କ ଚଳାଇଛି। ବିଳମ୍ବିତ ରାତି ହେଲେ ଜଙ୍ଗଲରୁ ବାହାରି ନିକଟବର୍ତ୍ତି ଗ୍ରାମଗୁଡ଼ିକରେ ପଶି ଘରର କବାଟ ବାଡ଼େଇ ଭାଙ୍ଗି ଦେଉଛି । ଘରେ ଯାହା ଖାଦ୍ୟ ପଦାର୍ଥ ଥିବ ତାହାକୁ ଖାଇ ଦେଉଛି। ଗୁରୁବାର ରାତିରେ ତିରିଗୋଚ୍ଛାରେ ଏହିଭଳି ଆତଙ୍କ କରିଥିଲା। ଏହାପୁର୍ବରୁ ଉକ୍ତ ଦନ୍ତାହାତୀଟି କନ୍ଧସାରଳା, କନ୍ଧନବଗୋଚ୍ଛା, ଗ୍ରାମଦେବତୀ, ମାଣପୁର, ତିନିଛକିଆ, ବାରଦଣ୍ଡା, ଶିଶୁଣ୍ଡା, ମାଟିଗାଡ଼ିଆ ପ୍ରମୁଖ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଦନ୍ତାହାତୀ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବର୍ତ୍ତମାନ ଦନ୍ତାଟି ଘର ଭାଙ୍ଗିବା ସହ ଫସଲ କ୍ଷତି କରୁଥିଲେ ମଧ୍ୟ ଭବିଷ୍ୟତରେ ଲୋକଙ୍କ ଜୀବନ ପ୍ରତି ବିପଦ ଅଛି । ଅନ୍ୟପଟେ ବନ ବିଭାଗ ଉକ୍ତ ଦନ୍ତାକୁ ନିୟନ୍ତ୍ର୍‌ଣ କରିପାରୁନାହିଁ। ତାରସିଂ ରେଞ୍ଜର ତାରାକାନ୍ତ ଉଦ୍‌ଗାତା ଆଜକୁ ୫ମାସ ହେବ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ପଳାଇଛନ୍ତି। ତାଙ୍କ ସ୍ଥାନରେ ଜଣେ ଡ଼େପୁଟି ରେଞ୍ଜର କୃତିବାସ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ତେଣୁ ଡ଼ିଏଫଓ ଇତିମଧ୍ୟରେ ୨ଜଣ ଡ଼େପୁଟି ରେଞ୍ଜର, ଜଣେ ବନପାଳ, ୨ଜଣ ବନରକ୍ଷୀଙ୍କୁ ପୁଣି ଉକ୍ତ ରେଞ୍ଜକୁ କେବଳ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଡ଼େପୁଟେସନରେ ପଠାଇଛନ୍ତି। କିନ୍ତୁ କର୍ମଚାରୀମାନେ ଗୋଟିଏ ପଟେ ହାତୀକୁ ଜଗୁଥିବା ବେଳେ ହାତୀ ଆଉ ଗୋଟେ ପଟେ ବାହାରିଯାଉଛି। ଶୁକ୍ରବାର ସୁଧା ଏହି ବନଖଣ୍ଡରେ ୪୦ରୁ ଊର୍ଦ୍ଧ୍ୱ ହାତୀ ଥିବା ଅନୁମାନ କରାଯାଉଛିଦ୍‌। .ଏନେଇ ଡ଼େପୁଟି ରେଞ୍ଜର କୃତିବାସ କୁମାର କହିଛନ୍ତି ଯେ, ହାତୀ ସେଭଳି କିଛି ବଡ଼ଧରଣର କ୍ଷତି କରିନାହିଁ । ତେଣୁ କାହାକୁ କ୍ଷତିପୁରଣ ଦେବା ଯୋଜନା ନାହିଁ। ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯାଉଛି। ହାତୀର ଗତିବିଧି ଜାଣିବା ପାଇଁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି।