Categories: ଫୁରସତ

ପେନ୍‌ : ସହଜ ନୁହେଁ କିଣିବା

ପେନ୍‌ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି ଆଉ ଏହାକୁ ବ୍ୟବହାର ମଧ୍ୟ କରନ୍ତି । ପେନ୍‌କୁ ଲେଖକଙ୍କର ଜଣେ ଭଲ ସାଥୀ ବୋଲି ବି କୁହାଯାଇଥାଏ। ନୂଆ ଆଉ ସୁନ୍ଦର ପେନ୍‌ରେ ଲେଖିବାର ସଉକ ମଧ୍ୟ ଅନେକଙ୍କର ଥାଏ। ସେଥିପାଇଁ ସେମାନଙ୍କ ପାଖେ ଯେତେ ପେନ୍‌ ଥିଲେ ବି ମାର୍କେଟରେ କୌଣସି ନୂଆ ଡିଜାଇନ୍‌ର ପେନ୍‌ ଦେଖିଲେ ତାହାକୁ କିଣି ଆଣିଥାନ୍ତି । ହେଲେ ଏଠାରେ ଯେଉଁ ପେନ୍‌ ସମ୍ପର୍କରେ କୁହାଯାଉଛି, ତାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏସବୁ ହେଉଛି ଗୋଟିଏ ଗୋଟିଏ ଦାମୀ ପେନ୍‌। କେଉଁଥିରେ ସୁନାର ବ୍ୟବହାର ହୋଇଛି ତ କେଉଁଥିରେ ହୀରା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ଧାତୁ ଲାଗିଛି । ସେମିତି କିଛି ଦାମୀ ପେନ୍‌ ସମ୍ପର୍କରେ –
ମୋଣ୍ଟ ବ୍ଲାଙ୍କ ବୋହେମେ ରୟାଲ୍‌ ପେନ୍‌: ଏହି ପେନ୍‌ରେ ୧୮ କ୍ୟାରେଟର ସୁନା, ପ୍ଲାଟିନମ୍‌ ପ୍ଲେଟେଡ୍‌ ରେଟ୍ରେକ୍ଟେବଲ୍‌ ନିବ୍‌ ଏବଂ ଏହାର ବ୍ୟାରେଲ୍‌ ଓ କ୍ୟାପ୍‌ରେ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ ତଥା ପ୍ରାୟ ୧୪୩୦ଟି ହୀରା ବ୍ୟବହାର କରାଯାଇଛି । ଏଥିସହିତ ଏହି ପେନ୍‌ରେ ଲାଗିଥିବା ମୋଣ୍ଟ ବ୍ଲାଙ୍କ ଷ୍ଟାର୍‌ ଲୋଗୋରେ ମଧ୍ୟ ୧୮ଟି ହୀରା ଓ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ ବ୍ୟବହୃତ ହୋଇଛି। ସେଥିପାଇଁ ଏହାର ଦାମ୍‌ ପ୍ରାୟ ୧.୧ ମିଲିୟନ୍‌ ପାଉଣ୍ଡ ରଖାଯାଇଛି ।
ଔରୋରା ଡିଆମାଣ୍ଟେ ପେନ୍‌: ସଲିଡ୍‌ ପ୍ଲାଟିନମ୍‌ରେ ତିଆରି ଏହି ପେନ୍‌ରେ ୩୦ କ୍ୟାରେଟର ଅନେକ ଛୋଟ ଛୋଟ ହୀରା ଲାଗିଛି। ତାସହିତ ଏହାର ନିବ୍‌ଟିକୁ ମଧ୍ୟ ୧୮ କ୍ୟାରେଟ ସୁନାରେ ତିଆରି କରାଯାଇଛି । ତେଣୁ ଏହାର ଦାମ୍‌ ପ୍ରାୟ ୯୪୪,୦୦୦ ପାଉଣ୍ଡ ରହିଛି ।
ହେଭେନ୍‌ ଗୋଲ୍ଡ ପେନ୍‌: ଏଥିରେ ୪୬୧ଟି ବ୍ରିଲିଆଣ୍ଟ କଲର୍‌ ଡାଇମଣ୍ଡ ତଥା ୪୩ କ୍ୟାରେଟର ଜେମ୍ସଷ୍ଟୋନ୍‌ ବ୍ୟବହାର କରାଯାଇଛି । ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୭୩୪,୧୮୮ ପାଉଣ୍ଡ ରହିଛି ।
ମିଷ୍ଟ୍ରି ମାଷ୍ଟରପିସ୍‌ ପେନ୍‌: ଏଥିରେ ପ୍ରାୟ ୩୦ କ୍ୟାରେଟର ଏନକ୍ରଷ୍ଟେଡ୍‌ ଜେମ୍ସ ଓ ଛୋଟ ଛୋଟ ଅନେକ ହୀରା ଲାଗିଛି । ତେଣୁ ଏହାର ମୂଲ୍ୟ ପ୍ରାୟ ୫୩୮,୩୭୫ ପାଉଣ୍ଡ ରଖାଯାଇଛି ।
କାରାନ୍‌ ଡି’ ଆଚେ ଗୋଥିକା ପେନ୍‌: ଏଥିରେ ରୋଡିୟମ୍‌ କୋଟେଡ୍‌ର ସଲିଡ୍‌ ସିଲଭର୍‌କୁ ବ୍ୟବହାର କରାଯାଇଛି । ତା’ସହିତ କିଛି ହୀରା, ରୁବି ଓ ଏମେରାଲ୍ଡ ମଧ୍ୟ ବ୍ୟବହୃତ ହୋଇଛି । ତେଣୁ ଏହାର ମୂଲ୍ୟ ପ୍ରାୟ ୨୯୯,୭୫୬ ପାଉଣ୍ଡ ରହିଛି ।
କାରାନ୍‌ ଡି’ ଆଚେ ଲା ମଡର୍ଣ୍ଣିଷ୍ଟା ଡାଇମଣ୍ଡ ପେନ୍‌: ଏହି ପେନ୍‌ରେ ରୋଡିୟମ୍‌ କୋଟେଡ୍‌ ହୋଇଥିବା ସିଲଭର୍‌ କମ୍ପୋନେଣ୍ଟ, ୧୮ କ୍ୟାରେଟର ଗୋଲ୍ଡ ନିବ୍‌, ୨୦ କ୍ୟାରେଟର ପ୍ରାୟ ୫୦୭୨ଟି ୱେସେଲଟନ୍‌ ଡାଇମଣ୍ଡ ଏବଂ ୩୨ କ୍ୟାରେଟ ବିଶିଷ୍ଟ ୯୬ଟି ରୁବି ବ୍ୟବହାର କରାଯାଇଛ । ତେଣୁ ଏହାର ମୂଲ୍ୟ ୧୯୫,୪୩୮ ପାଉଣ୍ଡ ରହିଛି ।
ପ୍ରିନ୍ସ ରେନିଅର୍‌ ଲିମିଟେଡ ଏଡିସନ୍‌ ୮୧ ପେନ୍‌: ଏଥିରେ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ, ୯୯୬ଟି ହୀରା ଓ ୯୬ ଟି ରୁବି ଲାଗିଛି । ତା’ସହିତ ଏହାର କ୍ୟାପ୍‌ର ରିଂରେ ୧୯ଟି ରୁବି ଏବଂ ନିବ୍‌ରେ ବି ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଇଛି। ଏହି ପେନ୍‌ର ମୂଲ୍ୟ ୧୮୮, ୮୦୦ ପାଉଣ୍ଡ ରହିଛି ।
ଲିମିଟେଡ ଏଡିସନ୍‌ ବୋହେମେ ପାପିଲିୟନ୍‌ ପେନ୍‌: ଏହି ପେନ୍‌ରେ ଧଳା, ହଳଦିଆ ଓ ରୋଜ୍‌ କଲର୍‌ ସୁନାର ବ୍ୟବହାର କରାଯାଇଛି । ତା’ସହିତ ଏଥିରେ ପ୍ରାୟ ୧୪୦୦ଟି ଡାଇମଣ୍ଡ ଓ ସଫାୟାର୍‌ ବି ଲାଗିଛି । ଏହାର ମୂଲ୍ୟ ହେଉଛି ପ୍ରାୟ ୧୬୯,୯୨୭ ପାଉଣ୍ଡ।
ପେରିୟର୍‌ ଜୌଏଟ୍‌ ଆନିଭରସାରି ଏଡିସନ୍‌ ପେନ୍‌: ଏଥିରେ ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୯୯,୩୪୧ ପାଉଣ୍ଡ ରହିଛି ।

Share