କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଖେଳାଳିଙ୍କ ଦରମା କାଟ କରିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟରେ କୌଣସି ସତ୍ୟତା ମିଳିନାହିଁ।
ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଟି୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରୁ ପାକିସ୍ତାନ ବିଦାୟ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚିନ୍ତା କରାଯାଉଛି। ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇ ନାହିଁ। କିନ୍ତୁ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବାର ସମ୍ଭାବନା ରହିଛି। ଖେଳାଳିଙ୍କୁ ଜରିମାନା କରାଯିବା ଉଚିତ ହେବ କି ନାହିଁ, ତାହା ଉପରେ ଚର୍ଚ୍ଚା ହେଉଛି।
ଖେଳାଳିଙ୍କୁ ବହୁତ ସମର୍ଥନ ଦିଆଯାଇଥିଲା। ତଥାପି ସେମାନେ ଦେଶର ମୁଣ୍ଡକୁ ନୁଆଇଁ ଦେଇଛନ୍ତି। ପାକିସ୍ତାନ ସେମିଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହେବା ସହ ଭାରତ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳଠାରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସୁପର-୮ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିବା ବେଳେ ପାକିସ୍ତାନ ଅନ୍ତିମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇଥିଲା। ହେଲେ ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନ ଥିଲା। ପାକିସ୍ତାନ ଦଳର ଖେଳାଳିମାନେ ଛୋଟ ଛୋଟ ଗ୍ରୁପ୍ରେ ଶ୍ରୀଲଙ୍କାରୁ ସ୍ୱଦେଶ ଫେରୁଛନ୍ତି। ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳିଙ୍କୁ ମାସିକ ଦରମା ସହିତ ମ୍ୟାଚ୍ ଫି’, ବୋନସ ଏବଂ ବୋର୍ଡର ଟିମ ସ୍ପନସରଶିପ୍ ଚୁକ୍ତିର ଅଂଶ ପ୍ରଦାନ କରାଯାଏ।

